ସରକାରକୁ ଆସିଲେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବୁ: ବିଶ୍ୱଶର୍ମା


କବିସୂର୍ଯ୍ୟନଗର: ଆଜି ଓଡିଶାରେ ମାରାଥନ ପ୍ରଚାର କରୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଜଟଣୀ ପରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଶାଣିତ ସ୍ୱରରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି । ଏହା ସହିତ ୪୦୦ ଲୋକସଭା ସିଟ୍ ଜିତିଲେ ଦେଶରେ ଆଉ କଣ କଣ କାମ କରାଯିବ ତାହା ମଧ୍ୟ କହିଛନ୍ତି ବିଶ୍ୱଶର୍ମା ।

ସେ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ରଖିଛନ୍ତି । ଯେଉଁଠି ରଖିଛନ୍ତି ଶୀଘ୍ର ଚାବି କାଢନ୍ତୁ । ଜୁନ ୧୦ ତାରିଖ ସୁଦ୍ଧା ପାଣ୍ଡିଆନ ବାବୁ ରତ୍ନ ଭଣ୍ଡାର ଚାବି କାଢନ୍ତୁ । ଜୁନ ୧୦ ପରେ ବିଜେପି ସରକାର ଆସିବ, ଆମେ ଚାବି ଆପଣଙ୍କଠୁ କାଢି ଦେବୁ । ପୁରୀରେ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ୱାର ଖୋଲିବୁ। ରତ୍ନଭଣ୍ଡାର ସଂପର୍କରେ ନ୍ୟାୟିକ ତଦନ୍ତ ହେଲା କିନ୍ତୁ ରିପୋର୍ଟ ସାର୍ବଜନୀନ ହେଉନି । ଲୋକଙ୍କ ଭାବନା ସହ ନ ଖେଳି ତୁରନ୍ତ ରତ୍ନଭଣ୍ଡାର ଚାବି ଦିଅ । ନଚେତ୍ ଜଗନ୍ନାଥଙ୍କ ଅଭିଶାପରୁ ଦଣ୍ଡିତ ହେବେ ।

ପିଓକେକୁ ଭାରତ ସହ ମିଶାଇବାକୁ ମୋଦୀ ୪୦୦ ପାର ନାରା ଦେଇଛନ୍ତି । ୩୦୦ ପାରରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା, ସିଏଏ ଲାଗୁ ହେଲା । ୪୦୦ ପାର ହେଲେ ପିଓକେ ଭାରତ ସହ ମିଶିବ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା । କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ମନ୍ଦିର ନିର୍ମାଣ ହେବ । ଏହା ସହିତ ଅନେକ କାର୍ଯ୍ୟ କରାଯିବ । ପିଓକେ ଅଶାନ୍ତ ସତ୍ତ୍ୱେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି । ୪୦୦ ମଧ୍ୟରେ ଆସ୍କା ନିର୍ବାଚନୀ ମଣ୍ଡଳୀ ମଧ୍ୟ ଆସୁଛି । ତେଣୁ ଏଠି ବି ବିଜେପି ଜିତିବା ଦରକାର ।