ଭୁବନେଶ୍ୱର: ଓଡିଶାରେ ନିର୍ବାଚନ ଜିତି ଏଥର ସରକାର ଗଢିବାକୁ ଲକ୍ଷ୍ୟ ରଖିଥିବା ବିଜେପି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜର ପ୍ରଚାର ପ୍ରସ୍ତୁତି ଜୋରଦାର କରିଛି । ଏହି କ୍ରମରେ ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ଵରରେ ପହଞ୍ଚିବା ପରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପାଖାପାଖି ଘଣ୍ଟାଏ ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ । ୨୦ ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପ୍ରଧାନମନ୍ତ୍ରୀ ଦର୍ଶନ କରିବେ । ତାପରେ ପୁରୀ ବଡ଼ଦାଣ୍ଡରେ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ଅନୁଗୁଳ ଏବଂ କଟକରେ ଜନସମାବେଶକୁ ସମ୍ବୋଧିତ କରିବେ।
ପୁରୀ ବଡଦାଣ୍ଡରେ ରୋଡ୍ ଶୋ’ ସିଂହଦ୍ୱାରଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହେବ । ରୋଡ୍ ଶୋ’ରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ଏହି ସମୟରେ ସାରା ସହର କଡ଼ା ସୁରକ୍ଷା ବଳୟରେ ରହିବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ୨ ଦିନ ତଳେ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଦର୍ଶନ ସାରି ମୋଦୀ ପରିକ୍ରମା ପ୍ରକଳ୍ପ ବୁଲିବେ ସେଥିପାଇଁ ସୁରକ୍ଷା ଯୋଗାଇବାକୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି ।
ବଡଦାଣ୍ଡରେ ରୋଡ ଶୋ ସମୟରେ ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ । ବଡ଼ଦାଣ୍ଡକୁ ପିପିଲି ଚାନ୍ଦୁଆ ଓ ରଘୁରାଜପୁରର ପଟ୍ଟଚିତ୍ର ମାଧ୍ୟମରେ ସଜାଇବାକୁ ମଧ୍ୟ ଯୋଜନା ରହିଛି । ପୁରୀ ବିଜେପି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମୋଦୀ ଘୋଷଣା କରିଥିବା ସୁଭଦ୍ରା ଯୋଜନା ମହିଳାଙ୍କ ସମୃଦ୍ଧିରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଣୁ ଏହି ସୁଭଦ୍ରା ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ବଡ଼ଦାଣ୍ଡରେ ମୁଖ୍ୟତଃ ମହିଳାଙ୍କ ସମାଗମ ହେବ । ରାଲିରେ ପୁରୁଷଙ୍କଠାରୁ ଅଧିକ ମହିଳା ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦୀଙ୍କର ହେବ ଦ୍ୱିତୀୟ ପୁରୀ ଗସ୍ତ । ଏହା ପୂର୍ବରୁ ୨୦୧୬ ଫେବୃଆରୀ ୭ ତାରିଖରେ ମଧ୍ୟ ମୋଦୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ ରଥଯାତ୍ରା ସମୟରେ ମଧ୍ୟ ମୋଦୀ ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଓଡିଶାରେ ଏହା ହେବ ଦ୍ୱିତୀୟ ରୋଡ୍ ଶୋ । ଏହା ପୂର୍ବରୁ ଭୁବନେଶ୍ୱରରେ ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହିତ ନିର୍ବାଚନ ବିଗୁଲ ବାଜିବା ପରେ ମୋଦୀଙ୍କ ଏହା ଦ୍ୱିତୀୟ ଓଡିଶା ଗସ୍ତ । ରାଜଧାନୀରେ ମେ ୧୦ ତାରିଖରେ ରୋଡ୍ ଶୋ ପରେ ୧୧ ତାରିଖରେ ଫୁଲବାଣୀ, ବଲାଙ୍ଗୀର ଓ ବରଗଡରେ ଜନସମାବେଶକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଏଥର ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଆରପାର ଲଢେଇ ହେଉଛି । ୨୫ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ସେଥିପାଇଁ ମାଳ ମାଳ କେନ୍ଦ୍ରୀୟ ନେତା ଘନ ଘନ ଓଡିଶା ଗସ୍ତ କରି ପ୍ରଚାର ଜୋରସୋର କରୁଛନ୍ତି ।