ରାଉରକେଲା: ରାଉରକେଲାରେ ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ବିଜେଡି ସରକାରକୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗର କମିଶନ ରିପୋର୍ଟ ମାସକରେ ସାର୍ବଜନୀନ କରାଯିବ । ଓଡିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ଶାହ କହିଛନ୍ତି ପ୍ରଥମ ୪ ପର୍ଯ୍ୟାୟରେ ମୋଦୀଜୀ ୨୭୦ ସିଟ୍ ଟପିଗଲେଣି । ଏଥର ମୋଦୀଜୀ ୪୦୦ ପାର କରିଯିବା ସ୍ପଷ୍ଟ ଜଣା ପଡିଲାଣି । କେନ୍ଦ୍ର ସହ ଓଡିଶାରେ ବି ବିଜେପି ସରକାର ଗଠନ ହେବ । ଓଡିଶାରେ ବଡଲ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଗଲାଣି । ଓଡିଶାରେ ୧୫ରୁ ଅଧିକ ଲୋକସଭା ଜିତିବ ବିଜେପି । ଏହା ସହିତ ୭୫ରୁ ଅଧିକ ବିଧାନସଭା ଜିତିବ ଦଳ । ଓଡିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଞ୍ଜିନ ଗଡିବ ।
ଅମିତ ଶାହ କହିଛନ୍ତି ଓଡିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ ମୋଦୀ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ ଏହି ନିର୍ବାଚନ । କଂଗ୍ରେସ ଏ ଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନି । ବିଜେପି ଓଡିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି । ଓଡିଶାରେ ଶାସନ ଓଡିଆରେ ଚାଲିବ ନା ତାମିଲନରେ ଚାଲିବ କୁହନ୍ତୁ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସବୁ ଦ୍ୱାର ଖୋଲା ଯାଉନାହିଁ । ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି । ରତ୍ନଭଣ୍ଡାରର ଅସଲି ଚାବି କୁଆଡେ ଗଲା କୁହନ୍ତୁ ନବୀନ ବାବୁ । ଏ ନେଇ ତଦନ୍ତ କମିଶନ ବସିଲା । ହେଲେ ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି । ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ ।
ଓଡିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି । ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ । ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ । ମୋଦୀଜୀ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି । ନବୀନ ବାବୁ ଉକ୍ତ ଚାଉଳକୁ ନିଜ ବ୍ୟାଗରେ ଭର୍ତ୍ତି କରି ଦେଉଛନ୍ତି । ଲୋକ ବ୍ୟାଗ ଖାଇବେନି, ହିମ୍ମତ ଅଛି ତ ଆଉ ୨ କେଜି ଚାଉଳ ଦିଅ । ଏଠାରେ ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି । ଓଡିଶାରେ ଆଦିବାସୀଙ୍କ ଜମିକୁ ହଡପ କରାଯାଉଛି । ନବୀନ ବାବୁ ଓଡିଶାର ଉନ୍ନତି କରିପାରିବେନି । ଓଡିଶାର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଅମିତ ଶାହ କହିଛନ୍ତି ।