ଭୁବନେଶ୍ୱର: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଥରେ ରାଜ୍ୟକୁ ଫେରିବ ତାତି । ଆଉ କଲବଲ ହେବେ ଲୋକେ । ରାଜ୍ୟକୁ ଆସନ୍ତା ୧୯ ତାରିଖରୁ ଫେରିବ ତାତି । ୨୧ରୁ ୨୩ ଯାଏ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏହି ସମୟରେ ତାତି ଅସମ୍ଭାଳ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ଅନୁଭୂତ ହେବାକୁ ଥିବା ବେଳେ ଟିଟିଲାଗଡ଼ରେ ତାତି ୪୭ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୧୯ରୁ ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ବିଶେଷ କରି୨୧ରୁ ୨୩ ଯାଏ ପ୍ରବଳ ତାତି ରହିବ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବ । ସେ ସମୟରେ ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ପବନ ବହିବ । ସାମୁଦ୍ରିକ ପବନର ପ୍ରଭାବ ରହିବନି । ବର୍ଷାର ହେବାର ସମ୍ଭାବନା ନାହିଁ । ତେବେ ୨୫ ଓ ୨୬ରୁ ରାଜ୍ୟରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୪ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ । ୧୯ରୁ ପ୍ରବଳ ଗରମ ଓ ଗୁଳଗୁଳି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳଗୁଳି ରହିବ। ୨୦ରୁ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳେରେ ଗ୍ରୀଷ୍ମପ୍ରବାହ ବହିବ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।