ଭୁବନେଶ୍ୱର: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଏ ନେଇ ଶନିବାର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସିଇଓ । ୨ୟ ପର୍ଯ୍ୟାୟରେ ମୋଟ୍ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭ ପ୍ରତିଶତ, ୨୦ରୁ ୨୯ ବର୍ଷ ୨୧.୩୧ ପ୍ରତିଶତ ରହିଛନ୍ତି । ହଜାରେ ପୁରୁଷରେ ମହିଳା ଭୋଟର ସଂଖ୍ୟା ୯୭୫ ରହିଛି । ସବୁଠୁ ଅଧିକ ଭୋଟର ସୁନ୍ଦରଗଡରେ ଅଛନ୍ତି ।
ସିଇଓ ନିକୁଞ୍ଜ ଧଳ କହିଛନ୍ତି ଭୋଟ୍ ଗ୍ରହଣ ପାଇଁ ୯୧୬୨ ବୁଥ ପ୍ରସ୍ତୁତ କରାଯାଇଛି । ପ୍ରତି ବୁଥରେ ହାରାହାରି ୮୭୦ ଭୋଟର ମତଦାନ କରିବେ । ଏଥିପାଇଁ ୧୦୪୧ ମହିଳା ପୋଲିଂ କର୍ମଚାରୀ ଓ ୧୫୪୧ ମଡର୍ଣ୍ଣ ବୁଥ୍ କରାଯାଇଛି । ଦ୍ୱିତୀୟ ପର୍ଯାୟରେ ୨୧ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଛି । ସୁରକ୍ଷା ଦାୟିତ୍ୱରେ ୧୦୨ କମ୍ପାନୀ ସିଏପିଏଫ ମୁତୟନ ହେବେ । ୨୨ କମ୍ପାନୀ କନ୍ଧମାଳରେ , ୨୦ କମ୍ପାନୀ ଗଞ୍ଜାମ, ସୁନ୍ଦରଗଡରେ ୧୬ ଓ ବଲାଙ୍ଗୀରରେ ୧୪ କମ୍ପାନୀ ନିୟୋଜିତ ହେବେ ।
ସୂଚନାଯୋଗ୍ୟ, ମେ ୨୦ ତାରିଖରେ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏଥିରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୩୫ ବିଧାନସଭା ସିଟରେ ମତଦାନ ହେବ । ଆଜି ହେଉଛି ପ୍ରଚାରର ଶେଷ ଦିନ । ତେଣୁ ବିଜେଡି ଓ ବିଜେପି ପକ୍ଷରି ବହୁ ଷ୍ଟାର ପ୍ରଚାରକ ମଇଦାନରେ ପ୍ରଚାର କରୁଛନ୍ତି ।