Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧୫ ବେଳକୁ ଓଡିଶାରେ କରିପାରେ ପ୍ରବେଶ

ଭୁବନେଶ୍ୱର: ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ୍ ୧୫ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମାଳଦ୍ଵୀପ ଏବଂ କୋମରିନ୍ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ମୌସୁମୀ ବାୟୁ ଅଗ୍ରସର ହୋଇଛି। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା। ତେବେ ୭ ଦିନ ବିଳମ୍ବରେ ଅର୍ଥାତ୍ ଜୁନ ୮ରେ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା। ଓଡ଼ିଶାକୁ ପାଖାପାଖି ୧୦ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୨୨ ବେଳକୁ ପହଞ୍ଚିଥିଲା।

ତେବେ ଏଥର ମୌସୁମୀ ସ୍ବାଭାବିକ ସମୟରେ କେରଳରେ ପ୍ରବେଶ କରିବା ସହ ଓଡ଼ିଶାକୁ ଛୁଇଁବା ନେଇ ପାଣିପାଗର ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। କେରଳରେ ଏଥର ମୌସୁମୀ ମେ ୩୧ ତାରିଖ ଛୁଇଁବ ବୋଲି ବିଭିନ୍ନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସାଧାରଣତଃ ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ବାତ୍ୟା କିମ୍ବା ଅବପାତ ପାଣିପାଗ ପ୍ରକ୍ରିୟା ସୃଷ୍ଟି ନ ହୁଏ, ତେବେ କେରଳ ତଥା ଓଡ଼ିଶାକୁ ସମୟ ପୂର୍ବରୁ ମୌସୁମୀ ଅଗ୍ରସର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ହେଲେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ଅଧିକ ଘନୀଭୂତ ହୋଇ ମେ ୨୫ ତାରିଖ ବେଳକୁ ଅବପାତର ରୂପ ନେଇପାରେ ବୋଲି ଜଣା ପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ