ଅନୁଗୁଳରେ ବିଜେଡି ଉପରେ ବର୍ଷିଲେ ମୋଦୀ, କହିଲେ- ୨୫ ବର୍ଷର ସରକାରରେ ଦାଦନ ସମସ୍ୟା, ଏଥର ଯିବା ଥୟ


ଅନୁଗୁଳ: ପୁରୀରେ ବିଶାଳ ରୋଡ୍ ଶୋ ପରେ ଅନୁଗୁଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ସେ ବିଜେଡିକୁ ଶାଣିତ ସ୍ୱରରେ ହମଲା କରିବା ସହିତ ଏହି ୨୫ ବର୍ଷ ସରକାରର ଯିବା ସମୟ ଆସିଲାଣି ଏବଂ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଚାଷୀ ସମସ୍ୟାଠୁ ନେଇ ଦାଦନ ଏବଂ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି । ତଥାପି ଏହି ରାଜ୍ୟ ଆଜି କାହିଁକି ଦୁର୍ଦ୍ଦିନ ଦେଇ ଗତି କରୁଛି । ଜୀବନର ଲମ୍ବା ସମୟ ମୁଁ ପାର୍ଟିର ସଂଗଠନରେ ଲଗାଇଛି। ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ । ସକାଳ ୭ଟାରେ ପୁରୀରେ ଆଶ୍ଚର‌୍ୟ୍ୟଜନକ ଭିଡ଼ ଦେଖିଲି। ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି। ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି। ସାରା ଦେଶବାସୀ ମୋଦୀ ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି। ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି। ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି। ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର।

ବିଜେଡି ୨୫ ବର୍ଷରେ କଣ କଲା ?

ଜନସଭାକୁ ସମ୍ବୋଧି କରି ମୋଦୀ କହିଛନ୍ତି ବିଜେଡି ଉପରେ ୨୫ ବର୍ଷ ଭରସା କରିସାରିଲେଣି। ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଲା। ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି । କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି। ଓଡ଼ିଶାର ଗରିବୀ ମୋତେ ବ୍ୟଥିତ କରୁଛି। ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା । ଓଡ଼ିଶା ବରବାଦିର କାରଣ ହେଉଛି ବିଜେଡି ସରକାର। ଏ ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି। କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି।

ରତ୍ନଭଣ୍ଡାରର ତଦନ୍ତ କରାଇବୁ

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ।ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଗତ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ସନ୍ଧାନ ମିଳୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ। ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ। ଯାଞ୍ଚ ରିପୋର୍ଟରେ କଣ ଥିଲା, ଯାହା ପାଇଁ ବିଜେଡି ରିପୋର୍ଟ ଚାପିଛି। ସାର୍ବଜନୀନ କରୁନି । ବିଜେଡିର ଚୁପ୍ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ। ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓଡିଶାର ପୁଅ କିମ୍ବା ଝିଅ ହେବ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ। ବିଜେପିକୁ ଭୋଟ ଦିଅନ୍ତୁ, ମୋଦୀ ଆଜି ଗ୍ୟାରେଣ୍ଟି ଦେଉଛି ଯେ ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ । ୧୦ ଜୁନ୍‌ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ ହେବ। ଏ ସରକାର ଯିବା ନିଶ୍ଚିତ । ବିଜେଡିକୁ ଲୋକେ ଯଥେଷ୍ଟ ସୁଯୋଗ ଦେଇଛନ୍ତି, ଏବେ ଯିବା ସମୟ ଆସିଯାଇଛି । ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ।

ଅଧିକାଂଶ ପ୍ରକଳ୍ପ ଅଧୁରା

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି । ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ହେବ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ପଇସା ବ୍ୟାଙ୍କ ଖାତାରେ ମିଳିଯିବ । କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେଶିନ ଲାଗିବ । ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି । ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି । ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର । ବିଜେଡି ସରକାର ପାଇଁ ଘର ଚଳାଇବା ମହିଳାଙ୍କ ପାଇଁ ମୁସ୍କିଲ ହେଉଛି ।

ନିଜ ଫଟୋ ଲଗାଇ ଛାଡୁଛି ବିଜେଡି

ମୋଦୀ କହିଛନ୍ତି, ଆପଣଙ୍କ ଘର ପାଇଁ ମୋଦୀ ସରକାର ଚାଉଳ ଦେଉଛି । ଏଠି କିନ୍ତୁ ବିଜେଡି ସରକାର ସେଥିରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ପିଏମ୍ ସୂର‌୍ୟ୍ୟକିରଣ ଯୋଜନାରେ ବିଜୁଳି ବିଲ୍ ସଂପୂର୍ଣ୍ଣ ମାଗଣା ହେବ । ବ୍ୟବହାର ପରେ ବାକି ବିଜୁଳି ବିକି ଆପଣଙ୍କ ପରିବାର ସମୃଦ୍ଧ ହେବ । ସାଂସଦ ସହ ବିଧାୟକଙ୍କୁ ଜିତାଇ, ରାଜ୍ୟରେ ବିଜେପି ସରକାର କରନ୍ତୁ ।