ଭୁବନେଶ୍ୱର: ଆଜି ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି । ଏହି ସମୟରେ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି ।
ପ୍ରତି ବୁଥରେ ଭୋଟ୍ ଦେବା ପାଇଁ ଲୋକଙ୍କ ଲାଇନ ଦେଖିବାକୁ ମିଳିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୩୫ ବିଧାନସଭା ସିଟରେ ମତଦାନ ହେଉଛି ।
୨ୟ ପର୍ଯ୍ୟାୟରେ ମୋଟ୍ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭ ପ୍ରତିଶତ, ୨୦ରୁ ୨୯ ବର୍ଷ ୨୧.୩୧ ପ୍ରତିଶତ ରହିଛନ୍ତି । ହଜାରେ ପୁରୁଷରେ ମହିଳା ଭୋଟର ସଂଖ୍ୟା ୯୭୫ ରହିଛି । ସବୁଠୁ ଅଧିକ ଭୋଟର ସୁନ୍ଦରଗଡରେ ଅଛନ୍ତି ।
ସିଇଓ ନିକୁଞ୍ଜ ଧଳ କହିଛନ୍ତି ଭୋଟ୍ ଗ୍ରହଣ ପାଇଁ ୯୧୬୨ ବୁଥ ପ୍ରସ୍ତୁତ କରାଯାଇଛି । ପ୍ରତି ବୁଥରେ ହାରାହାରି ୮୭୦ ଭୋଟର ମତଦାନ କରିବେ । ଏଥିପାଇଁ ୧୦୪୧ ମହିଳା ପୋଲିଂ କର୍ମଚାରୀ ଓ ୧୫୪୧ ମଡର୍ଣ୍ଣ ବୁଥ୍ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୧ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଛି । ସୁରକ୍ଷା ଦାୟିତ୍ୱରେ ୧୦୨ କମ୍ପାନୀ ସିଏପିଏଫ ମୁତୟନ ହେବେ । ୨୨ କମ୍ପାନୀ କନ୍ଧମାଳରେ , ୨୦ କମ୍ପାନୀ ଗଞ୍ଜାମ, ସୁନ୍ଦରଗଡରେ ୧୬ ଓ ବଲାଙ୍ଗୀରରେ ୧୪ କମ୍ପାନୀ ନିୟୋଜିତ ହେବେ ।