କଟକ: କଟକରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାରଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି। ଭିକେ ପାଣ୍ଡିଆନଙ୍କ ନାଁ ନେଇ ତାଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି । ମୋଦୀ କହିଛନ୍ତି ବିଜେପି ସରକାର ଆସିଲେ ଏ ମାଫିଆରାଜ ବନ୍ଦ କରାଯିବ । ମାଫିଆର ଅଣ୍ଟା ଭଙ୍ଗାଯିବ ।
ସେ କହିଛନ୍ତି ଓଡିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ୍ ହିଁ ଏ ଲୁଟତରାଜ ବନ୍ଦ କରିବ । ଆପଣଙ୍କ ଭୋଟ୍ ହିଁ ଓଡିଶାର ଭାଗ୍ୟ ବଦଳାଇ ପାରିବ । ବିଜେଡିର ଭ୍ରଷ୍ଟାଚାର ପାଇଁ ଓଡିଶାର ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛି । ଜୁନ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟ ଭଙ୍ଗାଯିବ ।
ମୋଦୀ କହିଛନ୍ତି, ଆମକୁ ଓଡିଶାରେ ନିବେଶ ଦରକାର । ନୂଆ ଉଦ୍ୟୋଗ ଦରକାର । ବିଜେପିର ତାକତ ଅଛି । ଏସବୁ ବିଜେପି ହିଁ କରି ପାରିବ । ଓଡିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ । କଟକକୁ ଚାରିପଟୁ ନଦୀ ଘେରି ରହିଛି । କିନ୍ତୁ ଏଠି ପାଣି ପିଇବା ପାଣି ସମସ୍ୟା ରହିଛି । କାରଣ ଏଠିକାର ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି । ବିଜେଡି ଗରିବଙ୍କୁ ନୂଆ ପକ୍କା ଘର ଦେବାରେ ଅନ୍ତରାୟ ସାଜୁଛି । ଗରିବଙ୍କୁ ହଇରାଣ କେବଳ ଶତ୍ରୁ ହିଁ କରିପାରେ ।
ମୋଦୀ କହିଛନ୍ତି, କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ଟଙ୍କା ମିଳିଥିଲା । ମୋଦୀ ସରକାରରେ ଖଣିଜ ନୀତିରୁ ଓଡିଶାକୁ ୫୦ ହଜାର କୋଟି ଟଙ୍କା ମିଳୁଛି । ଡିଏମଏଫରେ ଓଡିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । ମାତ୍ର ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡିଶାରେ ସ୍କୁଲ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ବିଜେଡି ନେତାଙ୍କୁ କମିଶନ ନ ମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି ।