କଟକ: ଅନୁଗୁଳ ଓ କଟକ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେଡି ସରକାରଙ୍କୁ ଘେରିଛନ୍ତି। ଉଭୟ ସଭାରେ ମୋଦୀ ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ସୁରକ୍ଷିତ ନ ଥିବା କହିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ଗଡବଡ ଥିଲେ ମୋଦୀ କାହାକୁ ଛାଡିବ ନାହିଁ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କଟକ ନିର୍ବାଚନୀ ସଭାରେ କଡା ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ କି ଯାଇଛି । ଏଭଳି ଲୋକଙ୍କୁ ଓଡିଶାବାସୀ କେବେ ବି କ୍ଷମା କରିବେ ନାହିଁ । ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି । ବିଜେପି ସରକାର ଆସିବା କ୍ଷଣି ଚାବିର ରହସ୍ୟ ଉପରୁ ପରଦା ହଟିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ । ଯଦି କିଛି ଗଡବଡି ଥିବ, ମୋଦୀ କାହାକୁ ଛାଡିବ ନାହିଁ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅନୁଗୁଳ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଗତ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ସନ୍ଧାନ ମିଳୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ। ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ।
ଯାଞ୍ଚ ରିପୋର୍ଟରେ କଣ ଥିଲା, ଯାହା ପାଇଁ ବିଜେଡି ରିପୋର୍ଟ ଚାପିଛି। ସାର୍ବଜନୀନ କରୁନି । ବିଜେଡିର ଚୁପ୍ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ। ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ । ଏହି ଠାରୁ ହିଁ ଆମେ ପ୍ରଭୁ ଜଗନ୍ନାଥଙ୍କ ସେବା ଆରମ୍ଭ କରିବୁ ବୋଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ। ବିଜେପିକୁ ଭୋଟ ଦିଅନ୍ତୁ, ମୋଦୀ ଆଜି ଗ୍ୟାରେଣ୍ଟି ଦେଉଛି ଯେ ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ । ୧୦ ଜୁନ୍ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ ହେବ। ଏ ସରକାର ଯିବା ନିଶ୍ଚିତ । ବିଜେଡିକୁ ଲୋକେ ଯଥେଷ୍ଟ ସୁଯୋଗ ଦେଇଛନ୍ତି, ଏବେ ଯିବା ସମୟ ଆସିଯାଇଛି । ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।