ରାତ୍ର ସମୟରେ ଏକ ସଙ୍ଗରେ ଛଅ ଭାରିଯାନ


ଝାରସୁଗୁଡା ୨୧/୫ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥରେ ଏକ ସଙ୍ଗରେ ୬ ଟି ଟ୍ରଲର ଗାଡ଼ିରେ ବିରାଟ କାୟ ଯନ୍ତ୍ରାଂଶ ପରିବହନ ଯୋଗୁଁ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଞ୍ଚଗାଁ ଛକରେ ସୋମବାର ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିଲା । ଏପରିକି ଭୋଟିଂ ସାରି ପୋଲିଂ ଗାଡ଼ି ଗୁଡିକ ଫେରିବା ସମୟରେ ସେମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି,ବ୍ରଜରାଜନଗର ଏସଡ଼ିପିଓ ଚିନ୍ତାମଣି ପଧାନଙ୍କୁ ଜଣାଇବା ପରେ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆଶୁତୋଷ ମହାନ୍ତି ଓ ଏଏସଆଇ ଅଜୟସେନ ଅମାତଙ୍କ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ୬ ଟି ଭାରିଯାନକୁ ଅଟକାଇବା ପରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଅନ୍ୟ ଗାଡ଼ି ଗୁଡ଼ିକ ଯାଇଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ୬ ଟି ଯାକ ଭାରିଯାନ ମାନଙ୍କୁ ରାତ୍ର ସମୟରେ ଏବଂ ଭୋଟ ସାରି ପୋଲିଂ ଗାଡ଼ି ଫେରିବା ବେଳେ ଯିବା ପାଇଁ କିଏ ଅନୁମତି ଦେଇଛି । ସେ ଉପରେ ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି । ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଣ୍ଡି ଙ୍କୁ ପଚାରିବାରୁ ଉକ୍ତ ଭାରିଯାନ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।