ଅପରାଜିତାଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍‌, କହିଲେ- ରାଜଧାନୀରେ ରିଂ ରୋଡ୍ ପାଇଁ ଇଟା ଖଣ୍ଡେ ପକାଇ ପାରିଲେନି


ଖୋର୍ଦ୍ଧା: ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଧବାର ମାରାଥନ୍ ପ୍ରଚାର କରିଛନ୍ତି । ଖୋର୍ଦ୍ଧା ହାବେଳି ପଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡିର ନେତା ଭି.କେ. ପାଣ୍ଡିଆନ୍ ମଧ୍ୟ ପ୍ରଚାର କରିଛନ୍ତି। ଖୋର୍ଦ୍ଧା ଜନସଭାରୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ୍ ।

ସେ କହିଛନ୍ତି, ଖବରକାଗଜରେ ସାଂସଦ କ’ଣ କରିଛନ୍ତି ଲେଖିଛନ୍ତି । ଏନଏଚ ପାଇଁ ୬୪୦୦କୋଟି ଖର୍ଚ୍ଚ ହୋଇଥିବା ଲେଖିଛନ୍ତି । ଏନଏଚ କାମରେ ସାଂସଦଙ୍କ କ’ଣ ଭୂମିକା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସବୁ ରାଜଧାନୀକୁ କେନ୍ଦ୍ର ସରକାର ରିଂ ରୋଡ୍ ଦେଇଛନ୍ତି । ଅନ୍ୟ ରାଜ୍ୟ ରାଜଧାନୀର ବିଜେପି ସାଂସଦ ରିଂ ରୋଡ୍ କଲେ । ଭୁବନେଶ୍ବର ସାଂସଦ ଇଟା ଖଣ୍ଡେ ପକାଇ ପାରିଲେନି ବୋଲି ପାଣ୍ଡିଆନ କହିଛନ୍ତି ।

ରାଜଧାନୀରେ ଫୁଟ୍ ଓଭରବ୍ରିଜ କରିଥିବା ଲେଖିଛନ୍ତି । ସେ କରିଥିବା ଫୁଟ୍ ଓଭରବ୍ରିଜରେ କେହି ଯାଉନାହାନ୍ତି । ୫ ବର୍ଷରେ ଫୁଟ୍ ଓଭରବ୍ରିଜ କେତେ ବଡ଼ ସଫଳତା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ମନ୍ଦିରରେ ୱାଟର କୁଲର ବାଣ୍ଟିଥିବା ବି ଲେଖିଛନ୍ତି ସାଂସଦ । ଯେଉଁ କାମ ସେ କରିଛନ୍ତି ତାହା ସରପଞ୍ଚମାନେ ବି କରୁଛନ୍ତି । ସାଂସଦ ହୋଇ କ’ଣ କଲେ ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଭିକେ ପାଣ୍ଡିଆନ ଓ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ପ୍ରଶାସକରୁ ନେତା ପାଲଟିଥିବା ଦୁଇ ନେତା ପରସ୍ପରକୁ ଶବ୍ଦ ବାଣ ଛାଡୁଛନ୍ତି । ରାଜ୍ୟ ପାଇଁ କିଏ କଣ କରିଛି ପରସ୍ପରକୁ ହିସାବ ମାଗୁଛନ୍ତି । ଏହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଏହା ପୂର୍ବରୁ ଅପରାଜିତା ଷଡଙ୍ଗୀ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କହିଥିଲେ, ମୁଁ କଣ କାମ କରିଛି ତାହା ମୋ ସଂସଦୀୟ କ୍ଷେତ୍ରର ଲୋକ ଜାଣିଛନ୍ତି । ମୋର ରିପୋର୍ଟ କାର୍ଡ ସେମାନଙ୍କ ପାଖରେ ଅଛି । ଆପଣ କୁହନ୍ତି ବିଜେଡି ସାଂସଦ ଭାବେ ୨୫ ବର୍ଷ ରହିଥିବା ପ୍ରସନ୍ନ ପାଟ୍ଟଶାଣୀ କଣ କରିଛନ୍ତି । ନିଜ ସାଂସଦଙ୍କ ରିପୋର୍ଟ କାର୍ଡ ଟିକେ ଦେଖାନ୍ତୁ ବୋଲି ଅପରାଜିତା ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରିଥିଲେ ।