ଚିଲିକା: ଓଡିଶାରେ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ପ୍ରଚାରର ଆଜି ହେଉଛି ଶେଷ ଦିନ । ଆଜି ବିଜେପି ପକ୍ଷରୁ ମଇଦାନରେ ପ୍ରଚାର କରୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚିଲିକା ବାଣପୁର ସଭାରେ ଯୋଗୀ ଆଦିତ୍ୟନାଥ ଶାଣିତ ସ୍ୱରରେ ବିରୋଧୀଙ୍କୁ ହମଲା କରିଛନ୍ତି । ସେ କହିଛନ୍ତି ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଞ୍ଜିନ ସରକାର ହେବ । ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ ପାଇଁ ଶକ୍ତି ଦିଅନ୍ତୁ ।
ଯୋଗୀ କହିଛନ୍ତି, ଉତ୍ତର ପ୍ରଦେଶର ବୁଲଡୋଜର ପରି ଏଠାରେ ମାଫିଆମାନଙ୍କୁ ସାବାଡ କରାଯିବ । ଏ ହେଉଛି ମୋଦୀଙ୍କ ଭାରତ, ଯିଏ ବଦମାସୀ କରିବ, ସାବାସ କରାଯିବ । ଡବଲ ଇଞ୍ଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖାଇ ଦେଇଛି । ଓଡିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରାଇବାକୁ ଦେଉ ନାହାନ୍ତି । କଂଗ୍ରେସକୁ ବି କଡା ସ୍ୱରରେ ଆକ୍ରମଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର । ଭାରତର ଯଦି ବନ୍ଦନ କରି ନ ପାରିବ ତେବେ ପାକିସ୍ତାନ ଚାଲିଯାଅ ।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି । ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୋଦୀ ଶ୍ରୀରାମ ମନ୍ଦିର କରିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଯୋଗୀ ବିଜେଡି ସରକାରଙ୍କୁ ଆକ୍ରମଣ କରିଛନ୍ତି । ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜେଇ ଦେଲେଣି । କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି ପକେଇଲେଣି । ଥରେ ଆସନ୍ତୁ ଉତ୍ତର ପ୍ରଦେଶ, ଦେଖିବେ ସେଠି କେବଳ ଜୟ ଶ୍ରୀରାମ ନାରା ।
୪୦୦ ପାର ଶୁଣି ବିଜୁ ଜନତା ଦଳର ମୁଣ୍ଡ ବୁଲାଇଲାଣି । ଏମାନେ ତ ସରକାର କରିପାରିବେନି । ଏମାନଙ୍କୁ କାହିଁକି ଜିତାଇବ । ଓଡିଶାରେ ତ ବାବୁମାନଙ୍କ ସରକାର ଚାଲିଛି । ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡନ ହୁଅନ୍ତି । ଜନପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଏଠାରେ ଓଡିଶା ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି । ବିଜେଡି ତୁଷ୍ଟୀକରଣ ରାଜନୀତି କରୁଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି । କଂଗ୍ରେସ, ଟିଏମସି, ବିଜେଡିର ନୀତି ଜନବିରୋଧୀ ।