କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଯୋଗୀ ଆଦିତ୍ୟନାଥଙ୍କ ହୁଙ୍କାର । କୁଳିଆଠାରେ ୟୁପି ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରଚାର କରି ବିଜେଡି ସରକାର ଉପରେ ବର୍ଷିଛନ୍ତି । ଜୟଜଗନ୍ନାଥ, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କରି ଯୋଗୀ କହିଛନ୍ତି, କେନ୍ଦ୍ରାପଡାବାସୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ୟୁପିରୁ ଆସିଛି । ୟୁପି ମଡେଲ ବୁଲଡୋଜର ମୁଁ ଆସିବା ପୂର୍ବରୁ ଏଠି ପହଞ୍ଚି ଗଲାଣି । ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢିବ। ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ ।
୨୫ ବର୍ଷ ହେଲାଣି ବାବୁରାଜ ଓଡିଶା ଶାସନକୁ ନିଜ କବଜାକୁ ନେଇ ଯାଇଛି । ଓଡିଶାର ବିକାଶକୁ ୫୦ ବର୍ଷ ପଛକୁ ନେଇ ଯାଇଛି ବାବୁରାଜ । ରାସନ ମୋଦୀ ପଠାଉଛନ୍ତି, ଏଠି ବାବୁମାନେ ନବୀନ ଷ୍ଟାମ୍ପ ମାରୁଛନ୍ତି । ଏଠିକାର ତାମିଲ ବାବୁ ଆୟୁଷ୍ମାନ ଭାରତ ଲାଗୁ କରାଉ ନାହାନ୍ତି । ଆୟୁଷ୍ମାନ ଭାରତ ଲାଗୁ କଲେ ତାଙ୍କ କମିଶନବାଜି ବନ୍ଦ ହୋଇଯିବ । ସୁଶାସନ ଆଧାରଶୀଳତାକୁ ସୁଦୃଢ କରିବାକୁ ଡବଲ ଇଞ୍ଜିନ ସରକାର ଆଣନ୍ତୁ । ମୋଦୀଙ୍କ ଶାସନରେ ସୀମା ସୁରକ୍ଷିତ । ଆତଙ୍କବାଦ ସମାପ୍ତ ହୋଇଛି । ପାକିସ୍ତାନ ଜାଣିଛି ।ଏ ନୂଆ ଭାରତରେ ବଦମାସୀ ଚଳିବନି । କେହି ବଦମାସୀ କଲେ କାହାକୁ ଛଡା ଯିବନି । ସମସ୍ତଙ୍କୁ ପକ୍କା ଘର, ପ୍ରତି ଘରକୁ ନଳରେ ଜଳ ଦେବେ ମୋଦୀ ।
ଯୋଗୀ କହିଛନ୍ତି, ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି । ଓଡିଶାର ଅସ୍ମିତା ସହ ଖେଳ ଚାଲିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି । ବାବୁରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶୟ ଦେଉଛନ୍ତି । ଏଠିକା ବିଜୁଳି ଓଡିଶା ଲୋକଙ୍କୁ ମହଙ୍ଗାରେ ଦିଆଯାଉଛି, କିନ୍ତୁ ବାହାର ରାଜ୍ୟକୁ ଶସ୍ତାରେ ଦିଆଯାଉଛି ।
ବାବୁରାଜ ଚକ୍କରରେ ପଡି ଯାଇଛନ୍ତି ନବୀନ ବାବୁ । ନବୀନ ବାବୁଙ୍କୁ ଏତେ ବର୍ଷ ଦେବା ସତ୍ତ୍ୱେ ଓଡିଶା ବିକାଶ କରି ପାରିଲାନି । ୟୁପିର ସବୁ ମାଫିଆଙ୍କୁ ଓଲଟା ଲଟକାଇ ରାମ ନାମ ସତ୍ୟ ହେ କରି ଦେଇଛୁ । ମାଫିଆଙ୍କ ପଇସା ସାଧାରଣ ଲୋକଙ୍କ ହିତରେ ଲଗାଇ ଦେଇଛୁ । ମାଫିଆରାଜ ସମାପ୍ତ ପାଇଁ ବୁଲଡୋଜର ଲଗାଇ ଦେଇଛୁ । ୟୁପିରେ ବୁଲଡୋଜର ସୁଶାସନର ପ୍ରତୀକ ପାଲଟିଛି । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡାବାସୀ ସୌଭାଗ୍ୟବାନ ବୋଲି ଯୋଗୀ କହିଛନ୍ତି ।