ନିଖୋଜ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାଇକେଲ ଓ କଙ୍କାଳ ଉଦ୍ଧାର


ବେଲଗୁଣ୍ଠା, 23/05, ଗତ 28 ଦିନ ତଳେ ଘରୁ ନିଖୋଜ ହୋଇଯାଇଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାଇକେଲ୍ ଏବଂ ନର କଙ୍କାଳ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍, ଗାଙ୍ଗପୁର ଥାନା, ଶାସନ ପଞ୍ଚାୟତ ଅନ୍ତର୍ଗତ ନୁଣିପଡା ଗ୍ରାମର ରଙ୍କନିଧି ସ୍ୱାଇଁ (50) ନାମକ ଜଣେ ବ୍ୟକ୍ତି ଘରୁ ନିଖୋଜ ହୋଇଯାଇଥିଲେ I ଆଜି ଅଞ୍ଚଳର ଜଣେ ଗାଈ ଚରାଳି ବିଞ୍ଚଣା ଠାରୁ ବଡ଼ ବୋର୍ସିଂ ଯିବା ରାସ୍ତା ଠାରୁ କିଛି ଦୂରରେ ରଙ୍କନିଧିଙ୍କ ସାଇକେଲ୍ ଏବଂ ସାଇକେଲ୍ ଠାରୁ କିଛି ଦୂରରେ ନର କଙ୍କାଳ ପଡ଼ିଥିବା ଦେଖି ଗାଆଁରେ ଖବର ଦେଇଥିଲା I ଖବର ପାଇ ଘଟଣା ସ୍ଥଳକୁ ରଙ୍କନିଧିଙ୍କ ପରିବାର ଲୋକ ଯାଇ ରଙ୍କନିଧିଙ୍କ ସାଇକେଲ୍ ଏବଂ କଙ୍କାଳ ପାଖରେ ପଡ଼ିଥିବା ରଙ୍କନିଧିଙ୍କ ଲୁଗାପଟାରୁ ନର କଙ୍କାଳଟି ରଙ୍କନିଧିର ବୋଲି ଚିହ୍ନଟ କରିଥିଲେ I ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସେଠାରେ ପଡ଼ିଥିବା ନର କଙ୍କାଳକୁ ଜବତ କରି ଫରେନ୍ସିକ୍ ଲ୍ଯାବ୍ କୁ ପଠାଇଛନ୍ତି I ଲ୍ଯାବ୍ ରିପୋର୍ଟ ଆସିବା ପରେ ରଙ୍କନିଧିଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ I