ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ବୟାନ, ଓଡିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି


ଭୁବନେଶ୍ୱର: ଓଡିଶା ସହ ପୁରା ଦେଶରେ ନିର୍ବାଚନର ଶେଷ ପର୍ଯ୍ୟାୟ ବାକି ରହିଛି । ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ଏହା ମଧ୍ୟରେ ଓଡିଶାକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଏଥର ଓଡିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି । ଖବର ସରବରାହ ସଂସ୍ଥା ଏଏନଆଇ ସହ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ମୋଦୀ ଏହା କହିଛନ୍ତି ।

ସେ କହିଛନ୍ତି ଏଥର ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ରାଜ୍ୟର ପୂରା ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅଧୀନକୁ ନେଇ ଯାଇଛନ୍ତି। ସବୁଠୁ ଚିନ୍ତାର ବିଷୟ ଯେ, ପୂରା ବ୍ୟବସ୍ଥାକୁ ବନ୍ଧକ କରି ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ମୁକ୍ତ ହେଲେ ରାଜ୍ୟ ହସିବ । ଓଡ଼ିଶା ଅସ୍ମିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେ କହିଛନ୍ତି , ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର, କିନ୍ତୁ ଲୋକେ ଗରିବ। ଏଭଳି ସମୃଦ୍ଧ ରାଜ୍ୟର ଗରିବ ଲୋକଙ୍କୁ ଦେଖିଲେ ଦୁଃଖ ଲାଗୁଛି । ଏଥିପାଇଁ ରାଜ୍ୟ ସରକାର ଦାୟୀ। ଲୋକଙ୍କୁ ସେମାନଙ୍କର ଅଧିକାର ମିଳିବା ଉଚିତ୍ ।

ନବୀନ ପଟ୍ଟନାୟକଙ୍କ ସହ ଭଲ ସଂପର୍କକୁ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସବୁ ରାଜନୈତିକ ନେତାଙ୍କ ସହ ମୋର ଭଲ ସଂପର୍କ । ମୋ ପାଇଁ ପ୍ରଶ୍ନ ଥିଲା ସଂପର୍କକୁ ଭଲ ରଖିବି ନା ଓଡିଶାର ଭାଗ୍ୟ କଥା ଚିନ୍ତା କରିବି । କିନ୍ତୁ ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି । ଏଥିପାଇଁ ଯଦି ମୋ ସଂପର୍କକୁ ବଳି ଚଢାଇବାକୁ ପଡେ ମୁଁ ପ୍ରସ୍ତୁତ ।