ବିଜେପିର ଆକ୍ସନ, ଧର୍ମଶାଳା ନେତା ହିମାଂଶୁ ଶେଖର ସାହୁ ଦଳରୁ ବହିଷ୍କୃତ


ଭୁବନେଶ୍ୱର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ସମୟରେ ବିଜେପି ନେଇଛି ଆକ୍ସନ । ବିଜେପିରୁ ଧର୍ମଶାଳା ନେତା ହିମାଂଶୁ ଶେଖର ସାହୁଙ୍କୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢୁଛନ୍ତି ହିମାଂଶୁ ଶେଖର ସାହୁ ।

ଯାଜପୁରର ବହୁ ଚର୍ଚ୍ଚିତ ଆସନ ହେଉଛି ଧର୍ମଶାଳା । ଏହା ବିଜେଡିର ଗଡ ରହି ଆସିଛି । ଏଠାରୁ ଏଥର ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ହିମାଂଶୁ ଶେଖର ସାହୁ । ହେଲେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । ବିଜେପି ଏଠାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି । ଦଳର ଏହି ନିଷ୍ପତ୍ତିକୁ ବିରୋଧ କରି ହିମାଂଶୁ ଶେଖର ସାହୁ ଧର୍ମଶାଳାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି । ଦଳର ତାଗିଦ୍ ପରେ ବି ସେ ଏଥିରୁ ନ ଓହରିବାରୁ ଶେଷରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି ।

ଏଠାରେ ବିଜେଡି ପକ୍ଷରୁ ପ୍ରଣବ ବଳବନ୍ତରାୟ ଲଢୁଥିବା ବେଳେ କଂଗ୍ରେସ ପକ୍ଷରୁ ମଇଦାନରେ ଅଛନ୍ତି କିଶାନ ପଣ୍ଡା । କିନ୍ତୁ ସିଧାସଳଖ ଫାଇଟ ପ୍ରଣବ ଏବଂ ସ୍ମତିରେଖାଙ୍କ ମଧ୍ୟରେ ହେଉଛି । ଏଠାରୁ କିଏ ନିର୍ବାଚନ ଜିତିବା କହିବା ମୁସ୍କିଲ । ପ୍ରତିଥର ଧର୍ମଶାଳାରୁ ଏକତରଫା ଜିତି ଆସୁଥିବା ବିଜେଡିକୁ ଏଥର କଡା ଟକ୍କର ମିଳୁଛି ।