Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ଏସସିବିରେ ଚାଲିଛି ଚିକିତ୍ସା

କଟକ: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକ ରହିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁ୍‌ଯାୟୀ ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ଜଗଦ୍ଦେବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉ ବୋଲି ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଅବେଦନକୁ ଗ୍ରହଣ କରି ମେଡିକାଲରେ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ। ଆଜି ଭୋର ୪ଟା ସମୟରେ ଜଗଦ୍ଦେବଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା। ଏହି ଘଟଣାରେ ତୁରିତ ତଦନ୍ତ କରି ପଦକ୍ଷେପ ନେବାକୁ ଗତକାଲି ଭାରତୀୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସିସିଟିଭି ଫୁଟେଜ ସାର୍ବଜନୀନ କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବାରେ କୌଣସି ଭୂମିକା ନାହିଁ । କିନ୍ତୁ ପୋଲିଂ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ରାଜ୍ୟ ପୋଲିସ ତାଙ୍କୁ ଗିରଫ କରିଥିବା ବିଜେପି ଅଭିଯୋଗ କରିଛି । ପ୍ରଶାନ୍ତଙ୍କୁ ନେଇ ରାଜନୀତି ଉଠୁଛି ପଡୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ