ଚାପ ଖେଳରେ ବାଣ ବିସ୍ଫୋରଣ ଅଘଟଣ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଆହୁରି ୬ ଜଣଙ୍କ ଅବସ୍ଥା ଗୁରୁତର

ପୁରୀ: ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଶନିବାର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଗୁରୁତର ଆଖି ବୁଜିଛନ୍ତି । ମୃତକ ହେଲେ ପୁରୀ ଅରଖକୁଦ ଅଞ୍ଚଳର ଶଙ୍କର ବେହେରା । ବର୍ତ୍ତମାନ ବି ଏସସିବିରେ ଆହୁରି ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଏବେ ମଧ୍ୟ ଅନ୍ୟ ମେଡିକାଲରେ ୧୬ ଜଣ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ, ୨୯ ତାରିଖ ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ଦେବୀଘାଟ ଦସାତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ । ବାଣ ପଡ଼ି ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆହତ ହୋଇଥିଲେ ।
ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ, ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଥିଲେ। ଆଉ ଧିରେ ଧିରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ଜୁନ ୧ ତାରିଖରେ ୮ରେ ପହଞ୍ଚିଛି ।