ଭୁବନେଶ୍ୱର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି । ଏହା ପୂର୍ବରୁ ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଜନତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ପର୍ଯ୍ୟାୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନା, ବୈଜୟନ୍ତ ପଣ୍ଡାଙ୍କ ପରି ହେଭିୱେଟ୍ ରହିଛନ୍ତି ।
ଶେଷ ପର୍ଯ୍ୟାୟରେ ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ସହ ୪୨ ବିଧାନସଭା ଆସନରେ ମତଦାନ ଜାରି ରହିଛି । ପ୍ରତି ବୁଥରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତେବେ କିଛି ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ଆସିଛି । କିଛି ବୁଥରେ ବିଜେପି ଓ ବିଜେଡି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଖବର ମଧ୍ୟ ଆସିଛି ।
ସୂଚନାଯୋଗ୍ୟ, ଏହି ପର୍ଯ୍ୟାୟ ଓଡିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ଏହି ୬ ସଂସଦୀୟ କ୍ଷେତ୍ରକୁ ବିଜେଡିର ଗଡ କୁହାଯାଏ । ହେଲେ ଏଥର ଏହି ଗଡରେ ଧଶେଇ ପଶିବାକୁ ଜୋରଦାର ଉଦ୍ୟମ କରିଛି ବିଜେପି । ଆଉ ବିଜେଡିକୁ କଡା ଟକ୍କର ମଧ୍ୟ ଦେଉଛି । ତେଣୁ ବିଗତ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଛି । ଗତ ୩ଟି ପର୍ଯ୍ୟାୟରେ ମତଦାନ ୭୩ ପ୍ରତିଶତ ଉପରେ ରହିଛି । ତେବେ ଶେଷ ପର୍ଯ୍ୟାୟରେ ଅଧିକ ରହିପାରେ ବୋଲି ଆଶା କରାଯାଉଛି ।