ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି । ୬୦ ବିଧାନସଭା ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତ ହାସଲ କରି ସାରିଛି । ଅନ୍ୟପଟେ ୩୨ ଆସନ ବିଶିଷ୍ଟ ସିକ୍କିମରେ କ୍ଷମତାସୀନ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ) କ୍ଲିନ ସୁଇପ ଆଡକୁ ବଢୁଛି । ଦୁଇ ରାଜ୍ୟରେ ଏପ୍ରିଲ ୧୯ରେ ମତଦାନ ହୋଇଥିଲା । ସିକ୍କିମରେ ମୋଟ୍ ୭୯.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶରେ ୮୨.୯୫ ପ୍ରତିଶତ ଭୋଟିଂ ହୋଇଥିଲା ।
ସିକ୍କିିମରେ କ୍ଷମତାସୀନ ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱାଧୀନ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ) ଓ ପବନ କୁମାର ଚାମଲିଙ୍ଗଙ୍କ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ(ଏସଡିଏଫ) ମଧ୍ୟରେ ମୁକାବିଲା ହେଉଛି । ତେବେ ଏସକେଏମ ପ୍ରଚଣ୍ଡ ବହୁମତ ଆଡକୁ ବଢିବା ସହିତ କ୍ଲିନ ସୁଇପ କରିବାର ସମ୍ଭାବନା ରହିଛି । ଏଠାରେ ବିଜେପି ଓ କଂଗ୍ରେସର ଅସ୍ଥିତ୍ୱ ନାହିଁ କହିଲେ ଚଳେ । ୨୦୧୯ରେ ପ୍ରେମ ସିଂ ତମାଙ୍ଗଙ୍କ ପାର୍ଟି ଏସକେଏମ ୧୭ଟି ସିଟ୍ ଜିତି ସରକାର ଗଢିଥିବା ବେଳେ ଏସଡିଏମକୁ ୧୫ ସିଟ୍ ମିଳିଥିଲା ।
ତେବେ ୬୦ ବିଧାନସଭାର ଅରୁଣାଚଳ ପ୍ରଦେଶରେ ମୁକାବିଲା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ୬୦ରୁ ୧୦ ଆସନରେ ପ୍ରଥମରୁ ହିଁ ବିଜେପି ନିଦ୍ୱନ୍ଦ୍ୱର୍ରେ ଜିତି ସାରିଥିଲା । ମୋଟାମୋଟି ଦଳ ୪୭ଟି ସିଟରେ ଆଗରେ ରହିଛି । ଏଥିରୁ ୧୭ଟି ସିଟ୍ ଜିତି ସାରିଥିବା ବେଳେ ୩୦ଟିରେ ଆଗରେ ରହିଛି । ଏଠାରେ କଂଗ୍ରେସ ୧୯ ପ୍ରାର୍ଥୀ ଦେଇଥିବା ବେଳେ ସହଯୋଗୀ ନ୍ୟାସନଲ ପିପୁଲ୍ସ ପାର୍ଟି(ଏନପିପି) ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମଧ୍ୟ ନିଜର ପ୍ରାର୍ଥୀ ଦେଇଥିଲେ । ଅରୁଣାଚଳ ପ୍ରଦେଶ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ଆରମ୍ଭ ହୋଇ ଯାଇଛି ।