ଭୁବନେଶ୍ୱର: ଗତକାଲି ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ଏକଜିଟ୍ ପୋଲ ଅର୍ଥାତ ଭୋଟ୍ ବାହୁଡା ମତ ପ୍ରକାଶ ପାଇଛି । ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ଏଜେନ୍ସି ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୦ରୁ ଅଧିକ ସିଟ୍ ଜିତି ପ୍ରଚଣ୍ଡ ବହୁମତ ସହ କ୍ରମାଗତ ତୃତୀୟ ଥର କ୍ଷମତାସୀନ ହେବାକୁ ଯାଉଥିବା ପୂର୍ବାନୁମାନ କରାଯାଇଛି । ଆଉ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ଶକ୍ତ ଧକ୍କା ଲାଗିଛି । ଓଡିଶାରେ ବିଜେପିର ଲହର ଦେଖିବାକୁ ମିଳିଥିବା ବେଳେ ଶାସକ ବିଜେଡି ଧରାଶାୟୀ ହେଉଥିବା ଏକଜିଟ ପୋଲରେ ଆକଳନ କରାଯାଇଛି । ଏକଜିଟ ପୋଲକୁ ନେଇ ଆଜି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଜୁନ ୧୦ ତାରିଖରେ ଆମେ ଶପଥ ନେବୁ । ଏଠି ବିଜେପି ସରକାର ଗଢିବ । ୪ ତାରିଖ ଅପରାହ୍ନରେ ଟ୍ରେଣ୍ଡ କହିବ ଏବଂ ଚିତ୍ର ସ୍ପଷ୍ଟ ହେବ । ଅନ୍ୟପଟେ ଏକଜିଟ୍ ପୋଲ ସର୍ବଦା ସଠିକ ହୁଏନି ବୋଲି କହିଛନ୍ତି ବିଜେଡି ବିଧାୟକ ପଦ୍ନନାଭ ବେହେରା । ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ୨୦୧୯ ଅପେକ୍ଷା ଆମେ ଏଥର ଭଲ କରିବୁ । ଏକଜିଟ୍ ପୋଲରେ ବିଜେଡି ଓ ବିଜେପି ତାଙ୍କ କଥା କହୁଛନ୍ତି ।
ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଜୁନ ୯ ତାରିଖରେ ଶପଥ ନେବ ବୋଲି ବିଜେଡି କହିଛି । ବିଜେପି କହିଛି ଜୁନ ୧୦ରେ ତାଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବ । ତେବେ ଗତକାଲି ଆସିଥିବା ଏକଜିଟ୍ ପୋଲ ଅନୁଯାୟୀ, ରାଜ୍ୟର ୨୧ ଲୋକସଭାରୁ ବିଜେପି ୧୫ରୁ ୧୮ ସିଟ୍ ଜିତୁଥିବା ପୂର୍ବାନମାନ କରାଯାଇଛି । ଆଉ ବିଜେଡି ଖାତାକୁ ୪ ରୁ ୬ ସିଟ୍ ଯାଉଥିବା କୁହାଯାଇଛି । ଅତି ବେଶି ହେଲେ କଂଗ୍ରେସ ଗୋଟିଏ ସିଟ୍ ଜିତିପାରେ ବୋଲି ବିଭିନ୍ନ ଏକଜିଟ୍ ପୋଲରେ ଆକଳନ କରାଯାଇଛି ।
ସେପଟେ କେନ୍ଦ୍ରରେ ବିଜେପି ୩୫୦ରୁ ୪୦୦ ସିଟ୍ ଭିତରେ ଜିତିବ ବୋଲି ବିଭିନ୍ନ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ଆଉ ଇଣ୍ଡିଆ ମେଣ୍ଟ ୧୩୦ରୁ ୧୬୦ ଭିତରେ ରହିବ ।