ଏକଜିଟ୍ ପୋଲ ଦମରେ ଉଛୁଳିଲା ସେୟାର ବଜାର, ସର୍ବକାଳୀନ ରେକର୍ଡ କଲା ସେନସେକ୍ସ ଓ ନିଫଟି


ନୂଆଦିଲ୍ଲୀ: ଏକଜିଟ୍ ପୋଲରେ କେନ୍ଦ୍ରରେ ପୁଣି ଥରେ ମୋଦୀ ସରକାର ଆସୁଥିବା ପୂର୍ବାନୁମାନ ପରେ ଆଜି ସୋମବାର ପ୍ରଥମ କାରବାର ଦିନରେ ଉଚ୍ଛୁଳିଛି ସେୟାର ବଜାର । ଐତିହାସିକ ବୃଦ୍ଧି ସହ ନିବେଶକଙ୍କ ସଂପତ୍ତିରେ ୧୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି । ବିଏସଇ ମାର୍କେଟ୍ କ୍ୟାପ୍ ୪୨୩.୮୬ ଲକ୍ଷ କୋଟିକୁ ବୃଦ୍ଧି ଘଟିଛି । ଏଥସହ ନିଫଟି ଓ ସେନସେକ୍ସ ସର୍ବକାଳୀନ ରେକର୍ଡ କରିଛି । ନିଫଟି ୬୦୩.୮୫ ପଏଣ୍ଟ ବୃଦ୍ଧି ପାଇ ୨୩ ହଜାର ୧୩୪.୫୫ରୁ ଏବଂ ସେନସେକ୍ସ ୧୮୫୯.୯୯ ପଏଣ୍ଟ ବଢି ୭୫ ହଜାର ୭୨୧.୧୯ରେ କାରବାର ଆରମ୍ଭ କରିଛି ।

ଆଜି ବିଏସଇର ମାର୍କେଟ୍ କ୍ୟାପ୍ ୪,୨୪, ୬୧, ୮୩୩.୮୨ କୋଟି ଟଙ୍କାର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ଗତ ଶୁକ୍ରବାର ଶେଷ କାରବାର ଦିନରେ ବିଏସଇ ମାର୍କେଟ୍ କ୍ୟାପ ୪୧୨.୨୩ ଲକ୍ଷ କୋଟି ଥିଲା । ବିଶେଷଜ୍ଞଙ୍କ ମତରେ ଗତ ନିର୍ବାଚନଠୁ ଏଥର ମୋଦୀ ସରକାର ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ନିବେଶକ ସେୟାର ବଜାରରେ ନିବେଶ କରିବାକୁ ଆଶ୍ୱସ୍ତ ଅଛନ୍ତି, ଯାହାର ପ୍ରତିଫଳନ ଆଜି ସେୟାର ମାର୍କେଟରେ ଦେଖିବାକୁ ମିଳିଛି ।

ବୋଧହୁଏ ଏକଜିଟ ପୋଲର ଫଳାଫଳ ନିବେଶକଙ୍କୁ ଭଲ ଲାଗିଛି । ସେମାନେ ଆଶା ରଖିଛନ୍ତି ଯେ, ମୋଦୀ ସରକାର ଆସିଲେ ପୁଣି ସମାନ ପଲିସି ଜାରି ରହିବ । ଜନତାଙ୍କ ବିଶ୍ୱାସ ଯେ, ବିଜେପି ସରକାର ହ୍ୟାଟ୍ରିକ ବିଜୟ ହାସଲ କରିବ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ଜାରି ରଖିବ । ଷ୍ଟକ ମାର୍କେଟ୍ ମୁତାବକ ସରକାର ଯେତେ ମଜବୁତ ହେବ ରାଜନୈତିକ ଚାପ ସେତେ କମ ହେବ ଏବଂ ସରକାର ବିନା ଚାପରେ ବଡ ବଡ ନିଷ୍ପତ୍ତି ନେଇ ପାରିବେ । ଯେଉଁ ଯୋଜନା ଲାଗୁ ହୋଇଛି ତାହା ପୁଣି ଜାରି ରହିବ ।