ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର, କିଏ ଗଢିବ ସରକାର କହିବା ମୁସ୍କିଲ


ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ରେ ଓଡିଶାରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । କିଏ ସରକାର ଗଢିବା କହିବା ମୁସ୍କିଲ । ବୋଧହୁଏ ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ଶାସକ ଓ ବିରୋଧୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ଅନେକ ଏକଜିଟ୍ ସାମ୍ନାକୁ ଆସିଛି । କେଉଁଥିରେ ଝୁଲା ସରକାର ହେଉଥିବା ବେଳେ ଆଉ କେଉଁ ଏକଜିଟ୍ ପୋଲରେ ବିଜେଡି ସରକାର ଗଢୁଥିବା କୁହାଯାଉଛି । ତେବେ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ ଓଡିଶା ବିଧାନସଭାର ମୋଟ୍ ୧୪୭ ସିଟରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ବିଜେଡି ବହୁତ ସିଟ୍ ହରାଉଥିବା ବେଳେ ବିଜେପିକୁ ବଡ ଫାଇଦା ମିଳୁଥିବା ଏହି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି ।

ଏକଜିଟ୍ ପୋଲ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ବିଧାନସଭାରେ ୬୨ରୁ ୮୦ ସିଟ୍ ମିଳିପାରେ । ବିଜେଡି ୨୦୦୪ ପରେ ପ୍ରଥମ ଥର ବହୁମତଠୁ ଦୂରରେ ରହିପାରେ । ଅନ୍ୟପଟେ ବିଜେପିକୁ ଏକଜିଟ ପୋଲରେ ବଡ ଫାଇଦା ମିଳୁଥିବା ଦେଖିବାକୁ ମିଳିଛି । ବିଜେପିକୁ ମଧ୍ୟ ଓଡିଶାରେ ୬୨ରୁ ୮୦ ସିଟ୍ ମିଳିବାର ପୂର୍ବାନୁମାନ କରାଯାଇଛି । ଏହି ହିସାବରେ ବିଜେପିକୁ ରାଜ୍ୟରେ ୪୮ ସିଟ୍ ଫାଇଦା ମିଳିପାରେ ଏବଂ ବିଜେଡିକୁ ୪୨ ସିଟ୍ କ୍ଷତି ଘଟିପାରେ । କଂଗ୍ରେସ ଖାତାକୁ ମାତ୍ର ୫ରୁ ୮ ସିଟ୍ ଯାଇପାରେ, ଯାହା ଗତ ନିର୍ବାଚନ ତୁଳନାରେ ୪ ସିଟ୍ କମ ।

ଭୋଟ୍ ପ୍ରତିଶତ ଉପରେ ନଜର ପକାଇଲେ ବିଜେପିକୁ ରାଜ୍ୟରେ ଅଦ୍ଭୁତପୂର୍ବ ସଫଳତା ମିଳୁଛି । ପାର୍ଟିର ଭୋଟ ପ୍ରତିଶତ ୪୨ ପ୍ରତିଶତ ରହିପାରେ । ବିଜେଡିକୁ ଭୋଟ୍ ପ୍ରତିଶତ ୩ ପ୍ରତିଶତ ହ୍ରାସ ପାଇ ୪୨ରେ ରହିପାରେ । କଂଗ୍ରେସକୁ ୧୨ ପ୍ରତିଶତ ଭୋଟ୍ ମିଳିପାରେ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ସବୁଠୁ ବଡ ପାର୍ଟି ଭାବେ ୧୧୨ ସିଟ୍ ଜିତିଥିଲା । ବିଜେପିକୁ ୨୩ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିବା ବେଳେ କଂଗ୍ରେସ ଖାତାକୁ ୯ଟି ସିଟ୍ ଯାଇଥିଲା । ତେବେ ୨୦୨୪ ନିର୍ବାଚନ ସଂପୂର୍ଣ୍ଣ ଭିନ୍ନ ରହିଛି । କିଏ ବାଜିମାତ କରିବ ମଙ୍ଗଳବାର ଫଳାଫଳରୁ ଜଣା ପଡିବ ।

ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ ଝଟକା ଲାଗୁଥିବା ସବୁ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ ଓଡିଶାର ୨୧ ଲୋକସଭା ସିଟରୁ ବିଜେପିକୁ ୧୮ରୁ ୨୦ ସିଟ୍ ମିଳିପାରେ । ବିଜେଡିକୁ ୦ରୁ ୨ ଏବଂ କଂଗ୍ରେସକୁ ୦ରୁ ୧ ସିଟ୍ ମିଳିପାରେ । ଉଲ୍ଲେଖନୀୟ ବିଜେଡି ୨୦୦୦ ନିର୍ବାଚନରୁ କ୍ରମାଗତ ପାଞ୍ଚ ଥର ଜିତ ସରକାରରେ କ୍ଷମତାସୀନ ଅଛି । ଏଥର ନିର୍ବାଚନ ଜିତିଲେ ନବୀନ ପଟ୍ଟନାୟକ ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ କରିବେ ।