ନୂଆଦିଲ୍ଲୀ: ସାତୋଟି ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଆଜି ଚାଲିଛି ଭୋଟ୍ ଗଣତି । ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡରେ ଏନଡିଏକୁ ଇଣ୍ଡିଆ ମେଣ୍ଟ କଡା ଟକ୍କର ଦେଉଥିବା ସଙ୍କେତ ମିଳୁଛି । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ୨୭୨ର ମ୍ୟାଜିକ ନମ୍ବର ପାର କରିଥିଲେ ହଁ ବିରୋଧୀ ମେଣ୍ଟ ୨୦୦ରୁ ଅଧିକ ସିଟରେ ଆଗୁଆ ରହି ଦମଦାର ପ୍ରଦର୍ଶନ କରୁଛି । ଖାସ୍ କଥା ଉତ୍ତର ପ୍ରଦେଶରେ ବଡ ଓଲଟପାଲଟ ଦେଖିବାକୁ ମିଳୁଛି । ଏଠାରେ ସମାଜବାଦୀ ପାର୍ଟି ୩୦ରୁ ଅଧିକ ସିଟରେ ଅଗ୍ରଣୀ ରହିଛି, ଯାହା ବିଜେପିକୁ ଶକ୍ତ ଧକ୍କା ପରି ହୋଇଛି ।
୫୪୩ରୁ ୫୪୩ ସିଟର ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ଏଥିରୁ ଏନଡିଏ ୩୦୪ ସିଟରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ୨୧୭ ସିଟରେ ଅଗ୍ରଣୀ ହାସଲ କରିଛି । ଅନ୍ୟ ୨୨ ସିଟରେ ଆଗୁଆ ରହିଛନ୍ତି । ସବୁଠୁ ବଡ କଥା ୨୦୧୪ ଏବଂ ୨୦୧୯ରେ ନିଜ ଦମରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି ଏଥର ପ୍ରାରମ୍ଭିକ ଟ୍ରେଣ୍ଡରେ ୨୪୭ ସିଟରେ ଆଗୁଆ ରହିଛି, ଯାହା ୨୦୧୯ ତୁଳନାରେ ୫୬ ସିଟ୍ କ୍ଷତି । କଂଗ୍ରେସ ୯୩ ସିଟରେ ଅଗ୍ରଣୀ ହାସଲ କରିଛି ଯାହା ଗତ ନିର୍ବାଚନ ତୁଳନାରେ ୪୦ ସିଟ୍ ଅଧିକ ରହିଛି । ଖାସ୍ କଥା ବିରୋଧୀ ଦଳ ୨୯୫ ସିଟ୍ ଜିତି ବୋଲି ଦାବି କରିଥିଲେ । ଉତ୍ତର ପ୍ରଦେଶରେ ସପା ୩୪ ସିଟରେ ଆଗୁଆ ରହିଛି ।
ସୂଚନାଯୋଗ୍ୟ, ୨୦୧୯ରେ ବିଜେପି ନିଜ ଦମରେ ୩୦୩ ସିଟ୍ ଏବଂ ୨୦୧୪ରେ ୨୭୫ ସିଟ୍ ଜିତିବା ସହ ଏନଡିଏକୁ ଧରି ସରକାର ଗଢିଥିଲା । କିନ୍ତୁ ଏଥର ମେଣ୍ଟର ଗୁରୁତ୍ୱ ଅଧିକ ବଢି ଯାଇପାରେ । ବିନା ମେଣ୍ଟ ସମର୍ଥନରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ନ ପାରେ ବୋଲି ସଙ୍କେତ ମିଳିଛି । ଯାହା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଝଟକା ଲାଗିପାରେ । ଅନ୍ୟପଟେ ରାହୁଲଙ୍କ ଲୋକପ୍ରିୟତା ବଢୁଥିବା ସଙ୍କେତ ଦେଇଛି ।
୨୦୧୯ ନିର୍ବାଚନରେ ବିଜେପି ୩୦୩ ଜିତିବା ସହ ଏନଡିଏ ୩୫୩ ସିଟ ଅକ୍ତିକାର କରିଥିଲା । କଂଗ୍ରେସ ୫୨ ସିଟ୍ ଜିତିଥିବା ବେଳେ ୟୁପିଏ ୯୨ ସିଟ୍ ଜିତିଥିଲା । ଅନ୍ୟ ଦଳ ଖାତାକୁ ୯୮ ସିଟ୍ ଯାଇଥିଲା । ତେବେ ଏଥର ଏନଡିଏ ୩୫୦ରୁ ୪୦୦ ସିଟ୍ ଜିତିବ ବୋଲି ପ୍ରାୟତଃ ସବୁ ଏକଜିଟ ପୋଲରେ ଆକଳନ କରାଯାଇଥିଲା । ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୨୭୨ ସିଟ୍ ଦରକାର । ଏ ସିଟକୁ ଏନଡିଏ ପାର କରିଥିଲେ ହେଁ ପାଖାପାଖି ୫୦ ସିଟ୍ କ୍ଷତି ଘଟୁଛି, ଆଉ ସିଟ୍ ବିଜେପିର ହିଁ ରହିଛି ।