ଓଡିଶାରେ ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ଆସନ ପୋଛି ନେଲା ବିଜେପି


ଭୁବନେଶ୍ୱର: ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ । ଅର୍ଥାତ ଦଳ ଖାତା ବି ଖୋଲି ପାରିଲା ନାହିଁ । ୨୦ଟି ଆସନ ବିଜେପି ପୋଛି ନେଇଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ବଞ୍ଚାଇବାରେ ସଫଳ ହୋଇଛି ।

୨୦୧୪ ଲୋକସଭା ନିର୍ବାଚନରେ ଯେଉଁ ବିଜେଡି ୨୦ ଏବଂ ୨୦୧୯ରେ ୧୨ଟି ସିଟ୍ ଜିତିଥିଲା ସେହି ଦଳ ଆଜି ଖାତା ବି ଖୋଲି ପାରିନି । ବିଜେଡି ଏମିତି ଧରାଶାୟୀ ହେବ କେହି କେବେ ହେଲେ ଭାବି ପାରି ନ ଥିଲେ । ଆଉ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ସତ ପ୍ରମାଣିତ ହୋଇଛି । ଏହି ପୋଲରେ କୁହାଯାଇଥିଲା ଯେ, ବିଜେଡି ୧୮ରୁ ୨୦ ଏବଂ ବିଜେଡି ୧ରୁ ୩ ଆସନ ଜିତିବ । କିନ୍ତୁ ବିଜେପି ତ ୨୦ ଜିତିଲା ହେଲେ ବିଜେଡି ଗୋଟିଏ ହେଲେ ଜିତି ପାରିଲା ନାହିଁ । ଯେଉଁ ଗୋଟିଏ ଆସନରେ ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ଥିଲା ସେହି ଯାଜପୁର ସିଟରେ ବି ହାତରୁ ଖସିଛି । ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ ହୋଇଛି।

ବିଜେପିର ବିଜୟୀ ପ୍ରାର୍ଥୀ

ଆସ୍କା- ଅନିତା ଶୁଭଦର୍ଶିନୀ
ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ
ବରଗଡ଼- ପ୍ରଦୀପ ପୁରୋହିତ
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ
ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ
କଟକ- ଭର୍ତ୍ତୃହରି ମହତାବ
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା
କଳାହାଣ୍ଡି- ମାଳବିକା ଦେବୀ
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
କେନ୍ଦୁଝର- ଅନନ୍ତ ନାୟକ
ମୟୂରଭଞ୍ଜ- ନବଚରଣ ମାଝୀ
ନବରଙ୍ଗପୁର- ବଳଭଦ୍ର ମାଝୀ
ପୁରୀ- ସମ୍ବିତ ପାତ୍ର
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ
ସୁନ୍ଦରଗଡ଼- ଜୁଏଲ ଓରାମ

କଂଗ୍ରେସର ବିଜୟୀ ପ୍ରାର୍ଥୀ

କୋରାପୁଟ- ସପ୍ତଗିରି ଉଲାକା

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.