ମନ୍ତ୍ରୀ ପଦ ପାଇଁ ଆଗକୁ ଆସିଲେ ଟିଡିପି, ଜେଡିୟୁ, ଚିରାଗ ଓ ସିନ୍ଦେ, ବିଜେପି ଉପରେ ଚାପ ପକାଇବା ଆରମ୍ଭ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଏବେ ନୂତନ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପି ନେତୃତ୍ୱରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ମାତ୍ର ଏହା ମଧ୍ୟରେ ଖବର ରହିଛି ଯେ, ଏନଡିଏର ସହଯୋଗୀ ଦଳମାନେ ସରକାର ଗଠନ ପୂର୍ବରୁ ବିଜେପି ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛନ୍ତି ।

ସୂତ୍ର ମୁତାବକ ଜେଡିୟୁ ୩ କ୍ୟାବିନେଟ୍ ପଦ ଦାବି କରୁଛି । ଏକନାଥ ସିନ୍ଦେ ଗୋଟିଏ କ୍ୟାବିନେଟ୍ ଏବଂ ଦୁଇଟି ରାଷ୍ଟ୍ର ମନ୍ତ୍ରୀ ପଦ ଚାହୁଁଛନ୍ତି । ଏହା ବ୍ୟତୀତ ଚିରାଗ ପାସୱାନ ଗୋଟିଏ କ୍ୟାବିନେଟ୍ ଏବଂ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରି ପାରନ୍ତି । ଜୀତନ ରାମ ମାଝୀ ମଧ୍ୟ ମୋଦୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଚାହାନ୍ତି ।

ସୂତ୍ର ଅନୁଯାୟୀ, ଟିଡିପି ସହିତ ଅନ୍ୟ ସହଯୋଗୀ ଦଳ ବିଜେପି ଉପରେ ନିଜର ଦାବି ରଖିବା ଆରମ୍ଭ କରି ଦେଇଛନ୍ତି । ସବୁଠୁ ବଡ ଦାବି ଲୋକସଭା ବାଚସ୍ପତି ପଦକୁ ନେଇ ରହିଛି, ଯାହା ଉପରେ ଟିଡିପି ଦାବି କରୁଛି । କୁହାଯାଉଛି ଚନ୍ଦ୍ରବାବୁ ନାଇଡୁ ୫ରୁ ନେଇ ୬ କିମ୍ବା ଏଥିରୁ ଅଧିକ ମନ୍ତ୍ରଣାଳୟ ଦାବି କରି ପାରନ୍ତି ।

କେବଳ ଏତିକି ନୁହେଁ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ପାରନ୍ତି । ଏହା ତାଙ୍କର ବହୁ ପୁରୁଣା ଦାବି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଏମିତି ରାଜ୍ୟକୁ ଦିଆଯାଏ ଯାହା ଐତିହାସିକ ଭାବେ ଦେଶର ବାକି ଅଞ୍ଚଳ ଅପେକ୍ଷା ଅଧିକ ପଛୁଆ ରହିଥିବ । ଏହାର ନିଷ୍ପତ୍ତି ରାଷ୍ଟ୍ରୀୟ ବିକାଶ ପରିଷଦ(ଏନଡିସି) ନେଇଥାନ୍ତି ।