ବିଜେପି କଣ ସେ ଭୁଲ କରିବ ? ଜଣେ ବ୍ୟୁରୋକ୍ରାଟକୁ ଭିଲିଆନ କରି ନିର୍ବାଚନ ଲଢ଼ି ଆଉ ଜଣେ ବ୍ୟୁରୋକ୍ରାଟକୁ ମୁଖ୍ୟମନ୍ତ୍ରୀ କରିବ !


ଭୁବନେଶ୍ୱର: ଓଡିଶାରେ ଦୀର୍ଘ ୨୪ ବର୍ଷ ବିଜୁ ଜନତା ଦଳ ସରକାର ପତନ ଘଟିଛି । ୭୮ ସିଟ୍ ଜିତି ପ୍ରଥମ ଥର ରାଜ୍ୟରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଭୁବନେଶ୍ୱରଠୁ ଦିଲ୍ଲୀ ଚର୍ଚ୍ଚା ଜୋର ଧରିଛି । ସଭିଙ୍କ ମୁହଁରେ ସେହି ଗୋଟିଏ କଥା କିଏ ହେବ ମୁଖ୍ୟମନ୍ତ୍ରୀ । ତେବେ ଗତକାଲି ସାମାଜିକ ଗଣମାଧ୍ୟମରେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି ଯେ, ଜାମ୍ମୁ-କାଶ୍ମୀରର ପୂର୍ବତନ ଉପ ରାଜ୍ୟପାଳ ତଥା ବର୍ତମାନ ସିଏଜି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ଗିରିଶ ମଧ୍ୟ ଜଣେ ଆଇଏଏସ । ଏହି ଖବରକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।

ତେବେ ବଡ ପ୍ରଶ୍ନ କଣ ବାସ୍ତବରେ ବିଜେପି ଗିରିଶଙ୍କ ପରି ଜଣେ ବ୍ୟୁରୋରୋକ୍ରାଟଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ । ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ଏଥର ନିର୍ବାଚନରେ ବିଜେପି ପୂର୍ବତନ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ ଏବଂ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ନିର୍ବାଚନ ବୈତରଣୀ ପାରି ହୋଇଛି । ଜଣେ ବାହାର ରାଜ୍ୟରୁ ଆସି କେମିତି ଓଡିଶାର ଶାସନଭାର ସମ୍ଭାଳିବ ତାକୁ ବିଜେପି ବଡ ଅସ୍ତ୍ର କରି ବିଜେଡିକୁ ହରାଇବାରେ ସକ୍ଷମ ହୋଇଛି । ଜଣେ ବ୍ୟୁରୋକ୍ରାଟଙ୍କ ବିରୋଧରେ ଲଢି ବିଜେପି ନବୀନ ପଟ୍ଟନାୟକଙ୍କ ପରି ମହାଦ୍ରୁମଙ୍କୁ ହରାଇ ପ୍ରଥମ ଥର ସରକାର ଗଢିବାକୁ ଯାଉଛି ।

ଯେଉଁ ବ୍ୟୁରୋକ୍ରାଟଙ୍କୁ ବିରୋଧ କରି ବିଜେପି ନିର୍ବାଚନ ଜିତିଛି ସେହି ସ୍ଥାନରେ ପୁଣି ଆଉ ଜଣେ ବ୍ୟୁରୋକ୍ରାଟଙ୍କୁ କେମିତି ମୁଖ୍ୟମନ୍ତ୍ରୀ କରିବାର ବଡ ଭୁଲ ବିଜେପି କରି ପାରିବ ତାକୁ ନେଇ ଲୋକଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରିଲାଣି । କାରଣ ନେତାମାନେ ଦିନ ରାତି ଏକ କରି ନିର୍ବାଚନ ଲଢିଲେ ଏବଂ ଜିତିଲେ । ସେହି ସ୍ଥାନରେ ଓଡିଶାରୁ ଜଣେ ନିର୍ବାଚନ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯାଇ କେମିତି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରି ବ୍ୟୁରୋକ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମସୁଧା ଚାଲିବା ନେଇ ନେଇ ଚର୍ଚ୍ଚା ଜୋର ଧରିଛି ।

ଓଡିଶାରେ କଣ ନେତା ନାହାନ୍ତି, ଯେ,ପୁଣି ଜଣେ ଆଇଏଏସଙ୍କୁ ରାଜ୍ୟର ଶାସନ ଭାର ଟେକି ଦିଆଯିବ । ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ଆଦି ନେତା ନିର୍ବାଚନ ଲଢି ଜିତି ନିଜକୁ ସାବ୍ୟସ୍ତ କରି ସାରିଛନ୍ତି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇବା ସହ ରାଜ୍ୟ ବିଜେପିର ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟରେ ସବୁଠୁ ସକ୍ରିୟ ନେତାଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି । କେନ୍ଦ୍ରାପଡା ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ । ରାଜ୍ୟରେ ଏମିତି ନେତା ଥାଉ ଥାଉ ପୁଣି ଜଣେ ବ୍ୟୁରୋକ୍ରାଟଙ୍କୁ ବିଜେପି ଯଦି ମୁଖ୍ୟମନ୍ତ୍ରୀ କରିବ ତାହା କେତେ ଦୂର ସମୀଚିନ ହେବ ।

କାରଣ ଜନତା ତାଙ୍କର ନେତାଙ୍କୁ ବାଛି ବିଧାନସଭା ଏବଂ ସଂସଦଙ୍କୁ ପଠାଇଛନ୍ତି । ସେମାନେ କୌଣସି ବ୍ୟୁରୋକ୍ରାଟଙ୍କୁ ନିଜର ନେତା କିମ୍ବା ପ୍ରତିନିଧି ଚୟନ କରି ନାହାନ୍ତି । ଭିକେ ପାଣ୍ଡିଆନଙ୍କ ପରି ବ୍ୟୁରୋକ୍ରାଟଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସେହି ସ୍ଥାନରେ ଆଉ ଜଣେ ବ୍ୟୁରୋକ୍ରାଟଙ୍କୁ ରାଜ୍ୟର ଶାସନ ଭାର ଦେବା ପାଇଁ ମସୁଧା ଚଳାଇବା ତାହା କେତେ ଦୂର ଠିକ ବୋଲି ଲୋକେ ପ୍ରଶ୍ନ କଲେଣି । ଏମିତି ହେଲେ ଏହା ଜନାଦେଶ ପ୍ରତି ଅପମାନ ହେବ ବୋଲି ରାଜନୈତିକ ବିଶ୍ଳେଷକ ମଧ୍ୟ କହିଛନ୍ତି । ଜନତାଙ୍କ ମହଲରେ ଏହି ଚର୍ଚ୍ଚା ଯେ, ଯଦି କରାଯାଉ ତେବେ ଜଣେ ଓଡିଶାରୁ ନିର୍ବାଚନ ଲୋକ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ନଚେତ୍ ୨୦୨୯ରେ ବିଜେପି ବିଜୁ ଜନତା ଦଳ ପରି ସ୍ଥିତି ଭୋଗିପାରେ ।

ବିଜେଡି ଅମଳରେ ଯେଉଁ ବ୍ୟୁରୋକ୍ରାଟ ମାନେ ରାଜ୍ୟକୁ ଚଳାଇଲେ ଆଜି ଦୀର୍ଘ ବର୍ଷ ପରେ ସେଥିରୁ ତ୍ରାହି ପାଇଛି ଓଡିଶା । କଣ ପୁଣି ଥରେ ବିିଜେପି ବିଜେଡି ପରି ଜଣେ ବ୍ୟୁରୋକ୍ରାଟଙ୍କ ହାତରେ ଓଡିଶାର ଭବିଷ୍ୟତ ଟେକି ଦେବ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ କେନ୍ଦ୍ର ବିଜେପିଠୁ ନେଇ ରାଜ୍ୟ ବିଜେପି ଏହାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟରୁ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ରାଜ୍ୟବାସୀଙ୍କ ଜନାଦେଶ ପ୍ରତି ଉଚିତ୍ ସମ୍ମାନ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତପୋଷଣ କରିଛନ୍ତି । ସତରେ କଣ ବ୍ୟୁରୋକ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ବିଜେଡି ପରି ବିଜେପି ଭୁଲ କରିବ ?