ଓଡ଼ିଶାର ହିତ ପାଇଁ ନବୀନ ହାରିଲେ କି ! ତାଙ୍କ ଇସ୍ତଫା ସମୟରେ ସ୍ମିତ ହାସ୍ୟ ପଛର ରହସ୍ୟ କଣ ?


ଭୁବନେଶ୍ୱର: ନବୀନ ଯୁଗର ଅନ୍ତ ଘଟିଲା । ଦୀର୍ଘ ୨୪ ବର୍ଷ ପରେ କ୍ଷମତାଚ୍ୟୁତ ହେଲା ବିଜେଡି । ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଆଉ ଏବେ ହୋଇ ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବୁଧବାର ସକାଳ ପ୍ରାୟ ସାଢେ ୧୧ଟାରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ଚେହେରାରେ ଥିଲା ସ୍ମିତ ହାସ୍ୟ । ମୁଖରେ ପରାଜୟର ଗ୍ଲାନି ନ ଥିଲା । ନବୀନଙ୍କ ଚେହେରାକୁ ଦେଖିଲେ ସତେ ଯେମିତି ଲାଗୁଥିଲା ମନରେ କୌଣସି ଅବଶୋଷ ବା ଅନୁେଶୋଚନା ନାହିଁ । ଲାଗୁଥିଲା ତାଙ୍କ ହସ ପଛରେ ହଜାରେ ରହସ୍ୟ ଲୁଚି ରହିଛି ।

ଯେଉଁ ନମ୍ର ସ୍ୱଭାବ ଏବଂ ଅଳ୍ପଭାଷୀ ସହ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ, ଠିକ୍ ୨୪ ବର୍ଷ ପରେ ସେହି ବ୍ୟକ୍ତିତ୍ୱର ସହ ମୁଖ୍ୟମନ୍ତ୍ରୀରୁ ଇସ୍ତଫା ଦେଇଛନ୍ତି ନବୀନ । ରାଜ୍ୟପାଳ ଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ସମୟର ଦୃଶ୍ୟ ଯିଏ ଦେଖିଥିବ ନିଶ୍ଚିତ ଭାବେ ଭାବ ବିହ୍ୱଳ ହୋଇ ପଡିଥିବ । ତାଙ୍କ ମୁଖରୁ ପରାଜୟର କୌଣସି ଦୁଃଖ ବି ବାରି ହେଉ ନ ଥିଲା । ସତେ ଯେମିତି ଲାଗୁଥିଲା ନବୀନ ଚାହୁଁ ନ ଥିଲେ ଆଉ ମୁଖ୍ୟମନ୍ତ୍ରୀ ହେବି ରାଜ୍ୟ ଚଳାଇବି । ତାଙ୍କର ଆବଭାବ ଏବଂ ଢଙ୍ଗୀ ଦେଖି ଏହା ପ୍ରତୀତମାନ ହେଉଥିଲା ଯେ, ନବୀନ ବିଶ୍ରାମ ଚାହୁଁଥିଲେ । ସେ ସମ୍ମାନର ସହ ବିଦାୟ ନେବାକୁ ଚାହୁଁଥିଲେ । ନିର୍ବିବାଦର ସହ ଶାସନ ଭାର ଛାଡିବାକୁ ଚାହୁଁଥିଲେ । ଯିଏ ନବୀନଙ୍କୁ ଚିହ୍ନିଛନ୍ତି ଏବଂ ଯିଏ ତାଙ୍କର ରାଜନୈତିକ ବିଚକ୍ଷଣକୁ ବୁଝିଛି, ସେ ହିଁ କହି ପାରିବ ଯେ, ବାସ୍ତବରେ ନବୀନ ଏଥର ନିର୍ବାଚନ ଲଢିବାକୁ ଚାହୁଁଥିଲେ କି ନାହିଁ ।

ଆଉ ଏବେ ମଧ୍ୟ ଓଡିଶାର ସାଢେ ଚାରି କୋଟି ଜନତାଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ନବୀନ ପଟ୍ଟନାୟକ ଜାଣି ନ ଥିଲେ କି ଭିକେ ପାଣ୍ଡିଆନଙ୍କୁ ସାମ୍ନାକୁ ଆଣି ନିର୍ବାଚନ ଲଢିବା ଦଳ ପାଇଁ ବୁମେରାଂ ହେବ । ଏହା କହିବା ବଡ ଭୁଲ ହେବ ଯେ, ନବୀନ ଜାଣି ପାରି ନ ଥିଲେ ଯେ, ପାଣ୍ଡିଆନଙ୍କୁ ଆଗକୁ ଆଣିଲେ ତାଙ୍କୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ଯିଏ ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ କଲା, ସେହି ପରି ରାଜନେତା କଣ ଓଡିଶାର ରାଜନୀତି ଏବଂ ଜନ ଭାବାବେଗକୁ ବୁଝି ନ ଥିବେ ? ନବୀନ ପଟ୍ଟନାୟକ ଠିକ୍ ଭାବେ ଜାଣିଥିଲେ ଯେ, ଭିକେ ପାଣ୍ଡିଆନଙ୍କୁ ସାମ୍ନାକୁ ଆଣି ନିର୍ବାଚନ ଲଢିବା ଆତ୍ମଘାତୀ ହେବ । ରାଜନୀତିରେ ଗୋଟି ଚଳାଇବାରେ ବେଶ ମାହିର ଏବଂ ବିରୋଧୀଙ୍କୁ ଚୁଟକିରେ ମାତ୍ ଦେଉଥିବା ନବୀନ ବେଶ ଭଲ ବାବେ ଜାଣିଥିଲେ ଯେ, ପାଣ୍ଡିଆନଙ୍କୁ ଚେହେରା କରି ନିର୍ବାଚନ ଲଢିଲେ ଦଳ ପରାଜୟ ଭୋଗିବ ।

ନବୀନଙ୍କ ଚେହେରାକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଇ ପାରୁଥିଲା ଯେ, ସେ ଆଉ ରାଜନୀତି କି ଶାସନ କରିବାକୁ ବୋଧହୁଏ ଚାହୁଁ ନ ଥିଲେ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ଶାସନଭାର ସମ୍ଭାଳିବା ପରେ ବୋଧହୁଏ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ବିଶ୍ରାମ ଚାହୁଁଥିଲେ । ସମ୍ମାନର ସହ ବିଦାୟ ଚାହୁଁଥିଲେ । ସେ ବୋଧହୁଏ ଚାହୁଁ ନ ଥିଲେ ଯେ, ଏଥର ବିଜେଡି ଜିତି ପୁଣି ଥରେ କ୍ଷମତାକୁ ଫେରୁ ଏବଂ ଭିକେ ପାଣ୍ଡିଆନ ଆଗରେ ହେଉ କି ପ୍ରଚ୍ଛଦପଟ୍ଟରେ ରହି ଓଡିଶାକୁ ଶାସନ କରୁ । ଓଡିଶାର ସାଂପ୍ରତିକ ରାଜନୀତିକୁ ଦେଖିଲେ ଲାଗୁଥିଲା ଯେ, ରାଜ୍ୟରେ ବିଜେଡି ସରକାର ନ ଥିଲା ଏଠାରେ ବ୍ୟୁରୋକ୍ରାଟଙ୍କ ରାଜ ଚାଲିଥିଲା । କିଛି ମୁଷ୍ଟିମେୟ ବ୍ୟୁରୋକ୍ରାଟଙ୍କ କୋଟେରୀ ହିଁ ଓଡିଶାକୁ ଶାସନ କରୁଥିଲେ । ନବୀନ ପଟ୍ଟନାୟକ ଶାରୀରିକ ଭାବେ ଦୁର୍ବଳ ହେବାର ଭରପୁର ଫାଇଦା ମଧ୍ୟ ଏହି କୋଟେରୀ ଖୁବ୍ ଉଠାଇଛି । ବୋଧହୁଏ ନବୀନ ଚାହୁଁ ନଥିଲେ ଯେ, ବିଜେଡିକୁ ଢାଲ କରି ଏହି ନିର୍ଦ୍ଦିଷ୍ଟ କିଛି ଗୋଷ୍ଠୀ ଓଡିଶାବାସୀଙ୍କୁ ଲୁଟି ଚାଲନ୍ତୁ । ଓଡିଶାବାସୀଙ୍କ ଉପରେ ଶାସନ କରନ୍ତୁ ।

ନବୀନ ଚାହୁଁ ନ ଥିଲେ ମୋ ଅନ୍ତେ ବିଜେଡି ଦଳର ଦୁରୁପଯୋଗ କରି କେହି ଓଡିଶାରେ ଶାସନ କରୁ । କାରଣ ତାଙ୍କ ସରଳତା ଏବଂ ବାର୍ଦ୍ଧକ୍ୟବସ୍ଥାର ଫାଇଦା ଉଠାଇ ଏଠାକାର ଆଇଏଏସ ଅଫିସରମାନେ କୋଟି କୋଟି ଟଙ୍କାର କାରବାର କରି ମାଲାମାଲ ହୋଇଛନ୍ତି । ବିଜେଡି ସରକାରରେ ଅଢୁଆଳରେ ରହି ଖଣି, ପାଣି, ଜମି, ବାଲି ସବୁଥିରେ ଓଡିଶାର ରାଜସ୍ୱ ଲୁଡି ଚାଲିଥିଲେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟୁରୋକ୍ରାଟଙ୍କ କୋଟେରୀ । ବୋଧହୁଏ ନବୀନ ଆଉ ଏସବକୁ ସହ୍ୟ କରିବା ସ୍ଥିତିରେ ନ ଥିଲେ । ସେ ଆଉ ଚାହୁଁନଥିଲେ ବିଜେଡି ଚିହ୍ନରେ କିଏ ଫାଇଦା ଉଠାଉ । ସେ ଏହା ମଧ୍ୟ ଚାହୁଁନଥିଲେ ଯେ ଜଣେ ବି ସାଂସଦ ଆଉ ଲୋକସଭାକୁ ଯାଆନ୍ତୁ । ଯଦି ୪/୫ ସାଂସଦ ଜିତି ଯାଇଥାନ୍ତେ ତେବେ ସେମାନେ ନବୀନଙ୍କ ଚେହେରାରେ ଦିଲ୍ଲୀ ଦରବାରରେ ମୁଲଚାଲ କରୁଥାନ୍ତେ । କଣ ନବୀନ ଏତେ ଅସହାୟ ହୋଇଗଲେ ଯେ, ସେ ନିଜ ଦମରେ ଜଣେ ବି ସାଂସଦଙ୍କୁ ଲୋକସଭା ପଠାଇ ପାରିଲେନି । ଏହା କଦାପି ନୁହେଁ । ନବୀନ ବାବୁ ଆଉ ଚାହୁଁ ନ ଥିଲେ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ସେ ଯେଉଁ ବିଜୁ ଜନତା ଦଳ ଗଠନ କରିଛନ୍ତି ତାର ଆଉ କେହି ଯେମିତି ଦୁରୁପଯୋଗ ନ କରି ପାରିବେ ।

ବୋଧହୁଏ ନବୀନ ବାବୁ ନିର୍ବାଚନ ହାରିବା ପାଇଁ ଜାଣିଶୁଣି ଭିକେ ପାଣ୍ଡିଆନଙ୍କୁ ଆଗକୁ ଆଣିଥିଲେ । ସେ ଠିକ୍ ଭାବେ ଜାଣିଥିଲେ ଯେ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ପୁଅ ନବୀନଙ୍କୁ ଯେମିତି ଓଡିଶାବାସୀ ଗ୍ରହଣ କରି ଭଲ ପାଇବା ଶ୍ରଦ୍ଧା ଦେଲେ ଏବଂ ଦୀର୍ଘ ୨୪ ବର୍ଷ ଧରି ନିରଙ୍କୁଶ ଶାସନ ଦେଲେ ସେହି ସ୍ଥାନ ଆଉ କିଏ ନେବା ବଡ ମୁସ୍କିଲ । ଖାସ୍ କରି ବାହାର ରାଜ୍ୟରୁ ଆସି ଜଣେ ବ୍ୟୁରୋକ୍ରାଟଙ୍କୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ତାହା ବେଶ ଭଲ ଭାବେ ଜାଣି ପାରିଥିଲେ ନବୀନ । ଯଦି ସେ ନିଜର ଉତ୍ତରାଧିକାରୀ କୌଣସି ଓଡିଆଙ୍କ ବାଛିଥାନ୍ତେ ବୋଧହୁଏ ଆଜି ବିଜେଡିକୁ ଏମିତି ଦଶା ଦେଖିବାକୁ ପଡି ନ ଥାନ୍ତା । କିନ୍ତୁ ନବୀନ ବାବୁ ବୋଧହୁଏ ଭାବୁଥିଲେ ମୋଠୁ ବିଜେଡି ଆରମ୍ଭ ହୋଇଛି ଏବଂ ମୋର ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ସହ ବିଜେଡି ଶେଷ ହେଉ ।

ଏହା ମଧ୍ୟ କୁହାଯାଇ ପାରିବ ଯେ, ନବୀନ ତାଙ୍କର ଯୋଗ୍ୟ ଉତ୍ତରାଧିକାରୀ ପାଇ ପାରି ନ ଥିଲେ । ତେଣୁ ସେ ଜାଣିଶୁଣି ନିର୍ବାଚନ ହାରି ସମ୍ମାନର ସହ ବିଦାୟ ନେବାକୁ ଚାହୁଁଥିଲେ । ତେଣୁ ସେ ପାଣ୍ଡିଆନ ନାମକ ଜଣେ ବ୍ୟୁରୋକ୍ରାଟଙ୍କୁ ଯିଏ ଓଡିଆର ଭାବାବେଗ ସହ ଜଡିତ ନୁହେଁ ତାକୁ ଆଗରେ ରଖି ବିଜେଡି ପରାଜୟର ଚକ୍ରବ୍ୟୁହୋ ରଚିଥିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଆମେ ଏହା ଏଥିପାଇଁ କହୁଛୁ କାରଣ ନବୀନ ବାବୁ ଭଲ ଭାବେ ଜାଣିଥିଲେ ଯେ, ପାଣ୍ଡିଆନଙ୍କୁ ଆଗରେ ରଖି ନିର୍ବାଚନ ଲଢିଲେ ବିଜେଡି ହାରିବ । ଆଉ ବୋଧହୁଏ ସେ ତାହା ହିଁ କରିଛନ୍ତି । ଆଉ ବିଜେଡିର ପରାଜୟ ସହ ସମ୍ମାନର ସହିତ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି । ଆଉ ଓଡିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନର ପୂର୍ଣ୍ଣଛେଦ ପଡିଛି । ଯେଉଁ ବିଜେପି କାନ୍ଧରେ ଚଢି ନବୀନ ବାବୁ ଓଡିଶା ରାଜନୀତିରେ ପାଦ ଦେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ, ବୋଧହୁଏ ସେହି ବିଜେପି ହାତରେ ଶାସନ ଭାର ଟେକିବାକୁ ଚାହୁଁଥିଲେ ନବୀନ । ଏଥିପାଇଁ ସେ ନିଜେ ହିଁ ଏମିତି ଚକ୍ରବ୍ୟୁହ ରଚିଛନ୍ତି । ବୋଧହୁଏ ଓଡିଶାର ହିତ ପାଇଁ ନବୀନ ପଟ୍ଟନାୟକ ଜାଣିଶୁଣି ଏମିତି କଲେ ।