ମଞ୍ଚ ବନ୍ଧା ହେଲାଣି, ସେପଟେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ


ଭୁବନେଶ୍ୱର: ଓଡିଶାରେ କିଏ ହେବ ନୂତନ ମୁଖ୍ୟମନ୍ତ୍ରୀ ? ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ । ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇ ପୂର୍ବରୁ ତାରିଖ ନିର୍ଦ୍ଧାରିତ ହୋଇ ସାରିଛି । ଶପଥ ସମାରୋହ ପାଇଁ ସଜେଇ ହେଲାଣି ଜନତା ମଇଦାନ । ପ୍ରାୟ ୩୦ ହଜାରରୁ ଅଧିକ ଜନତାଙ୍କ ଗହଣରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସେପଟେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଦିଲ୍ଲୀରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପଦରେ ମୋହର ବାଜିବ ।

ଏଥିପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ସମେତ ସମସ୍ତ ନିର୍ବାଚିତ ସାଂସଦ । ଏଥର ଓଡିଶାରୁ ଯିଏ ହେଲେ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନି । ରାଜ୍ୟପାଳଙ୍କୁ ମଧ୍ୟ ଶପଥ ଗ୍ରହଣ ନେଇ କିଛି ଅବଗତ କରାଯାଇନି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନଜରରେ ରଖି ମୁଖ୍ୟ ସଚିବ ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏଥିରେ କେଉଁ ବିଭାଗ କଣ କରିବେ ସେ ନେଇ ଦାୟିତ୍ୱ ବଣ୍ଟା ଯାଇଛି । ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନ କିମ୍ବା ବିଜେପି ମୁଖ୍ୟାଳୟରେ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ ବସିବ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଓଡିଶା ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ଶୀର୍ଷ ନେତୃତ୍ୱ ଉପସ୍ଥିତ ରହିବେ ।

ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବିଚାର ବିମର୍ଶ ହେବ । ଏହା ପରେ ଓଡିଶାରେ ବିଜେପି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ।ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କିଛି ବିରୋଧ ହୁଏ ତେବେ ଜଣେ କେନ୍ଦ୍ରୀୟ ନେତାଙ୍କୁ ସ୍ୱତନ୍ତ୍ର ପ୍ରଭାରୀ କରି ଓଡିଶାକୁ ପଠାଯିବ । ସେ ବିଧାୟକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବେ ।