ପୁରୀ: ରାଜ୍ୟରେ ସରକାର ବଦଳିଛି । ବିଜେଡି କ୍ଷମତାରୁ ଯାଇଛି ଓ ବିଜେପି ଆସିଛି । ତେବେ ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ, ରତ୍ନଭଣ୍ଡାର ଓ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତକୁ ବିଜେପି ବଡ଼ ପ୍ରସଙ୍ଗ କରିଥିଲା । ଯାହା ଜଗନ୍ନାଥ ଭକ୍ତଙ୍କୁ ପ୍ରଭାବିତ କରିଥିଲା । ବିଜେପିର ବମ୍ଫର ବିଜୟରେ ଏହା ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ । ତେବେ ରାଜ୍ୟରେ ନୂଆ ସରକାର ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ବନ୍ଦ କରାଗଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ବଣ୍ଟନ । ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ପରିକ୍ରମା ରଥ ବୁଲିଥିଲା । ଏହି ସମୟରେ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ପାଇଁ ଅର୍ପଣ ଚାଉଳ ଦାନ କରିଥିଲେ । ପ୍ରାୟ ୧୩ ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ଯାହାକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା । ଏଥିରୁ ପ୍ରାୟ ୧୦ ହଜାର ୭୪୨ କ୍ୱିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ସରିଛି । ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ । କିନ୍ତୁ କାଲିଠୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛନ୍ତି ।
ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ଅଭାବୀ ଲୋକ ମହାପ୍ରସାଦ ପାଇ ସୌଭାଗ୍ୟ ପାଉଥିଲେ । ହେଲେ ପ୍ରଶାସନର ଏପରି ନିଷ୍ପତିକୁ ନେଇ ଏବେ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ପାଖରେ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଲାଗି କରିବାକୁ ନେଇ ପ୍ରଶ୍ନ ଉଠିଥିଲା । କିଏ ଅରୁଆ ତ କିଏ ଉସୁନା ଚାଉଳ ଦେଇଥିଲେ । ସବୁ ଚାଉଳ ଏକାଠି ରଖାଯାଇଥିବାରୁ ଏଥିରୁ ମହାପ୍ରସାଦ ପ୍ରସ୍ତୁତ କରିବାକୁ କିଛି ଭକ୍ତ ବିରୋଧ କରିଥିଲେ ।