ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟକୁ ବହୁମତ ମିଳିବା ପରେ ଶୁକ୍ରବାର ଦିଲ୍ଲୀରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଛି । ବୈଠକରେ ସହଯୋଗୀ ଦଳ ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା ଚନ୍ଦ୍ରାବାବୁ ନାଇଡୁ ପ୍ରଧାନମନ୍ତ୍ରୀଙ୍କ ନାମ ଅନୁମୋଦନ କରି କହିଛନ୍ତି, ଏନଡିଏ ସରକାର ଉପରେ ତାଙ୍କର ପୂରା ସମର୍ଥନ ରହିଛି । ମୋଦୀ ସରକାରଙ୍କ ଗତ ୧୦ ବର୍ଷ କାର୍ଯ୍ୟକାଳର ଉପଲବ୍ଧି ବଖାଣି ନାଇଡୁ ବଡ ଦାବି କରିଛନ୍ତି । ସେ କହିଛନ୍ତି ଦେଶ ଶୀଘ୍ର ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥାରେ ପରିଣତ ହେବ ।
ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ଚନ୍ଦ୍ରାବାବୁ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏଥର ବିକାଶ ଦିଗରେ ନୂତନ ଶିଖର ଛୁଇଁବ । ଏନଡିଏର ବହୁମତ ହାସଲ ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୁଁ ନିର୍ବାଚନ ପ୍ରଚାର ସମୟରେ ଦେଖିଛି ୩ ମାସ ଯାଏ ପିଏମ ମୋଦୀ କେବେ ବିଶ୍ରାମ କରି ନାହାନ୍ତି । ସେ ଦିନ ରାତି ପ୍ରଚାର କରିଛନ୍ତି । ସେ ସେହି ଭାବନା ସହିତ ଆରମ୍ଭ କଲେ ଏବଂ ସେହି ଭାବନା ସହିତ ଶେଷ କଲେ । ଆମ ଦଳର ପୁରା ସମର୍ଥନ ସରକାରଙ୍କ ସହିତ ରହିଛି ।
ଏହି ସମୟରେ ନୀତିଶ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜେଡିୟୁର ଅପାର ସମର୍ଥନ ରହିଛି । ଏନଡିଏ ସରକାର ପୁରା ୫ ବର୍ଷ ପୂରଣ କରିବ । ଆସନ୍ତା ନିର୍ବାଚନ ପୂରା ବହୁମତ ସହ ଆସିବୁ । ଏବେ ଦେଶ ସହିତ ବିହାର ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢିବ । ଆମେ ସବୁ ଏନଡିଏ ସରକାର ସହ ଅଛୁ ।
ସୂଚନାଯୋଗ୍ୟ, ବିଜେପି ନେତୃତ୍ୱାଧୀନ ଏନଡିଏ ତୃତୀୟ ଥର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏନଡିଏ ମେଣ୍ଟକୁ ୨୯୨ ସିଟ୍ ମିଳିଥିଲେ ହେଁ ବିଜେପି ଏକାକୀ ୨୭୨ ମ୍ୟାଜିକ ନମ୍ବର ହାସଲ କରି ପାରିନି । ଦଳକୁ ୨୪୦ ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ବିରୋଧୀ ଇଣ୍ଡିଆ ମେଣ୍ଟ ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩୪ ସିଟ୍ ଜିତିଛନ୍ତି ।