Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ, ଶପଥ ସମାରୋହରେ ହେବେ ସାମିଲ

ଭୁୁବନେଶ୍ୱର: ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତାଙ୍କୁ ତିନିଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣ ଜାମିନଦାର ଓ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଆସନ୍ତା ୯, ୧୦ ଓ ୧୧ ତାରିଖ ତିନିଦିନ ପାଇଁ ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଜୁନ ୧୦ ତାରିଖରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଜଗଦ୍ଦେବ। ସେଥିପାଇଁ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିବା ପ୍ରଶାନ୍ତଙ୍କ ଓକିଲ ପ୍ରଭାତ କୁମାର ଦାଶ କହିଛନ୍ତି।

ଚଳିତ ନିର୍ବାଚନରେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବିଧାନସଭାରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମେ ୨୫ ତାରିଖ ନିର୍ବାଚନ ଦିନ ସେ ବୋଲଗଡ ବ୍ଲକ୍ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍ ଦେବା ପାଇଁ ଆସିଥିଲେ। ସେଠାରେ ତାଙ୍କ ବିରୋଧରେ ଇଭିଏମ୍ ଭଙ୍ଗିଥିବା ଅଭିଯୋଗ ହୋଇଥିଲା। ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ପ୍ରଶାନ୍ତଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

ଜେଲ୍‌ରେ ଥିବା ସମୟରେ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଜୁନ ୪ ତାରିଖ ଭୋଟ୍ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ଖୋର୍ଦ୍ଧା ବିଧାନସଭାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ତାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଥିଲା । ସେ ବୁଥରେ ଇଭିଏମ ଭାଙ୍ଗି ନ ଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଭିଡିଓ ଜାରି କରିଥିଲେ । କିନ୍ତୁ ପୂର୍ବର ବିଜେଡି ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରଖି ପ୍ରଶାନ୍ତଙ୍କୁ ଗିରଫ କରିଥିବା ବିଜେପି ଅଭିଯୋଗ କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ