ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ଘୋଷିତ ହେବା ପରେ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟସମିତିର ଦିଲ୍ଲୀରେ ବୈଠକ ହେଉଛି । ବୈଠକରେ ସମସ୍ତ ନବ ନିର୍ବାଚିତ ସାଂସଦ ଏଥିରେ ଯୋଗ ଦେବେ । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ସିଡବ୍ଲ୍ୟୁସିର ବୈଠକରେ ଯୋଗ ଦେବାକୁ ପହଞ୍ଚି ଯାଇଛନ୍ତି । ଅଧିକାଂଶ ସାଂସଦ ଚାହାନ୍ତି ଏଥର ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ଦାୟିତ୍ୱ ନିଅନ୍ତୁ ।
ଏଥର ସବୁଠୁ ବଡ ବିରୋଧୀ ପାର୍ଟି ହୋଇଥିବାରୁ କଂଗ୍ରେସ ନେତାକୁ ଆନୁଷ୍ଠାନିକ ଭାବେ ବିରୋଧୀ ଦଳର ମାନ୍ୟତା ମିଳିଯିବ । କଂଗ୍ରେସ ଏହି ନିର୍ବାଚନରେ ୯୯ଟି ସିଟ୍ ଜିତିଛି । ବିରୋଧୀ ଦଳର ମାନ୍ୟତା ପାଇଁ ଅତି କମରେ ୧୦ ପ୍ରତିଶତ ଅର୍ଥାତ ୫୫ ସିଟ୍ ଜିତିବା ଦରକାର । ଏବେ ଏହି ପଦ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁଠୁ ବଡ ଦାବିଦାର କୁହାଯାଉଛି । ପାର୍ଟି ଭିତରୁ ମଧ୍ୟ ଏମିତି ସ୍ୱର ଉଠୁଛି ଯେ, ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ଦାୟିତ୍ୱ ନେବା ଉଚିତ । କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ପରିଣାମ ଆସିବା ପରେ କହିଥିଲେ ଯେ, ରାହୁଲ ଗାନ୍ଧୀ ଗୃହର ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରନ୍ତୁ ।
ସୂଚନାଯୋଗ୍ୟ, ଏଥର କଂଗ୍ରେସ ୯୯ ଆସନ ଜିତିଛି, ଯାହା ଗତ ନିର୍ବାଚନ ତୁଳନାରେ ୪୭ ସିଟ୍ ଅଧିକ । ଗତ ନିର୍ବାଚନରେ ଦଳକୁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳି ପାରି ନ ଥିଲା । ଇଣ୍ଡିଆ ମେଣ୍ଟ ମଧ୍ୟ ଦମଦାର ପ୍ରଦର୍ଶନ କରି ୨୩୪ ସିଟ୍ ଜିତି ଦୃଢ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଯାଉଛି ।