ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଭୋଗି ଦୀର୍ଘ ୨୪ ବର୍ଷ ଶାସନରେ ରହି କ୍ଷମତାଚ୍ୟୁତ ହେବା ପରେ ବିଜେଡିରେ ବର୍ତ୍ତମାନ ପରାଜୟକୁ ନେଇ ମାନଓ ମନ୍ଥନ ଚାଲିଛି । ନିର୍ବାଚନ ଫଳାଫଳ ବାହାରିବାର ଦୁଇ ଦିନର ନିରବତା ପରେ ଏବେ ଶଙ୍ଖ ଭବନରେ ଗହଳି ଲାଗି ରହିଛି । ଏହା ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତାଙ୍କର ଆଗମନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ନବୀନଙ୍କ ଉତ୍ତରାଧିକାରୀ ହେବା ନେଇ କଳ୍ପନା ଜଳ୍ପନା କରାଯାଉଛି ।
ଗତକାଲି ସନ୍ଧ୍ୟାରେ ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସହ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ । ବିମାନ ବନ୍ଦରରେ ତାଙ୍କୁ ପାଛୋଟି ଆଣିଥିଲେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁ । ଅରୁଣ ଏମିତି ସମୟରେ ଓଡିଶା ଆସିଛନ୍ତି, ଯେଉଁ ସମୟରେ ବିଜେଡି ପରାଜୟ ଭୋଗି ନବୀନଙ୍କ ଉତ୍ତରାଧିକାରୀ ଖୋଜୁଛି । ଅରୁଣଙ୍କୁ ନବୀନଙ୍କ ଉତ୍ତରାଧିକାରୀ କରାଯାଇ ଦଳକୁ ବଞ୍ଚାଇବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି ।
କାରଣ ନବୀନଙ୍କ ପରେ ବିଜେଡିର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସମସ୍ତେ ଭାବୁଥିଲେ ନବୀନ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେଡି କେବେ ହାରିବନି । ହେଲେ ଏଥର ନିର୍ବାଚନରେ କେବଳ ବିଜେଡି ନୁହେଁ ନବୀନ ପଟ୍ଟନାୟକ ମଧ୍ୟ ନିଜ ରାଜନୀତିରେ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଛନ୍ତି । ଦଳ ପୁରା ଦୋହଲି ଯାଇଛି । ନବୀନଙ୍କ ବାର୍ଦ୍ଧ୍ୟକତା ଦଳକୁ ସମ୍ଭାଳିବାକୁ ଆଉ ଅନୁମତି ଦେଉନି । ତେଣୁ ଅରୁଣ ପଟ୍ଟନାୟକଙ୍କୁ ନବୀନଙ୍କ ଉତ୍ତରାଧିକାରୀ କରାଯାଇ ଦଳକୁ ଯେଣତେଣ ପ୍ରକାରେ ବଞ୍ଚାଇବାକୁ ବରିଷ୍ଠ ନେତା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।
ତେବେ ପୂର୍ବରୁ ମଧ୍ୟ ଅରୁଣଙ୍କୁ ବିଜେଡିର ମଙ୍ଗ ଧରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ୍ ମନା କରି ଦେଇଥିଲେ । ହେଲେ ଏବେ ସେ ନବୀନଙ୍କ ଉତ୍ତରାଧିକାରୀ ହେବାକୁ ପ୍ରସ୍ତୁତ ନା ନାହିଁ ତାହା ଆଗାମୀ ସମୟରେ ଜଣା ପଡିବ । ଅରୁଣ ୨-୩ ଦିନ ରହି ପୁଣି ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ଆଗାମୀ ଭୂମିକା କଣ ରହିବ ତାହା ଉପରେ ଏବେ ସଭିଙ୍କ ନଜର । ତେଣୁ କୁହାଯାଇ ପାରିବ ଯେ, ବିଜେଡିକୁ ଏବେ ଅରୁଣ ପଟ୍ଟନାୟକ ହିଁ ସାହା ଭରସା ।