ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ପଦରେ କ୍ରମାଗତ ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଶପଥ ସମାରୋହ ପାଇଁ ପ୍ରସ୍ତୁତି ସରି ସାରିଛି । ଏହା ମଧ୍ୟରେ ମୋଦୀ କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ସେ ନେଇ ସାଂସଦଙ୍କ ନିକଟକୁ ଫୋନ କଲ୍ ଆସିବାରେ ଲାଗିଛି । ସୂତ୍ର ମୁତାବକ ଓଡିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ଜୁଏଲ ଓରାମଙ୍କ ନିକଟକୁ ପିଏମଓରୁ ଫୋନ କଲ୍ ଆସିଛି । ଉଭୟଙ୍କୁ ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ଫୋନ କଲ ପରେ ମୋଦୀଙ୍କ ସରକାରୀ ବାସଭବନକୁ ବାହାରିଲେ ଜୁଏଲ ।
ସୂଚନାଯୋଗ୍ୟ, ମୋଦୀ ୩.୦ରେ ଓଡିଶାରୁ କେତେ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ ତାକୁ ନେଇ କଳ୍ପନା ଜଳ୍ପନା କରାଯାଉଛି । ଏଥର ଅଧିକ ମିଳିବାର ସମ୍ଭାବନା ରହିଛି । କାରଣ ଓଡିଶାରୁ ୨୧ ସିଟରୁ ୨୦ ସିଟ୍ ଜିତି ଇତିହାସ ରଚିଛି ବିଜେପି । ୨୦୧୪ରେ ଏକମାତ୍ର ନେତା ଭାବେ ଜୁଏଲ ଓରାମ ଓଡିଶାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିଥିଲା । ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଥିବାରୁ ଦ୍ୱିତୀୟ ଓଡିଆ ଭାବେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ସେହିପରି ୨୦୧୯ରେ ଓଡିଶାରୁ ବିଜେପି ୮ ଲୋକସଭା ସିଟ୍ ଜିତିଥିଲା । ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା । ପରେ ବିଶ୍ୱେଶ୍ୱର ଟୁଡୁଙ୍କୁ ଷଡଙ୍ଗୀଙ୍କ ସ୍ଥାନରେ ମନ୍ତ୍ରୀ କରାଯାଇଥିଲା । ଆଉ ଓଡିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ ପରି ଗୁରୁ ଦାୟିତ୍ୱ ମିଳିଥିଲା ।
ତେବେ ଓଡ଼ିଶାରେ ସୁପର ଶୋ’ ଦେଖାଇଥିବା ରାଜ୍ୟ ବିଜେପିର କେତେ ଜଣ ସାଂସଦଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ୩ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।
୨୦ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ଏକାଧିକଥର ଲୋକସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ସଂଗୀତ କୁମାରୀ ସିଂଦେଓ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ବିଭୁ ପ୍ରସାଦ ତରାଇ । ଏମାନଙ୍କ ମଧ୍ୟରୁ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ ଆଗରେ ରହିଛି । ଯଦି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ଅନ୍ୟ ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ବାଚସ୍ପତି ପଦବୀ ପାଇଁ ଭର୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ମନ୍ତ୍ରୀ ହେବାକୁ ଥିବା ସାଂସଦଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଯିବ ।