Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ନାଁ ଉପରୁ ଆଜି ହଟିବ ସସପେନ୍ସ ! ମନ୍ତ୍ରୀ ପଦ ଦୌଡରେ ରହିଛନ୍ତି ଏସବୁ ନେତା

ଭୁବନେଶ୍ୱର: ରାଜ୍ୟର କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରୁ ଆଜି ସସପେନ୍ସ ହଟିପାରେ । ମୁଖ୍ୟମନ୍ତ୍ରୀ ନାଁ ଉପରେ ଶୀଘ୍ର ମୋହର ମାରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ଆଜି ଦୁଇ ପର୍ଯ୍ୟବେକ୍ଷକ ଓଡିଶା ଆସିବା ପରେ ି ବିଧାୟକ ଦଳ ବୈଠକ ବସିବ । ବିଧାୟକଙ୍କ ମତାମତ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ ବୋଲି ଜଣା ଯାଇଛି ।

ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ। ଏହା ପରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ନାଁ ଉପରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସୁରେଶ ପୂଜାରୀ ଥିବା ନେଇ ଚର୍ଚ୍ଚା ହେଉଛି । ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜୟ ନାରାୟଣ ମିଶ୍ର ଓ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ଏହାବାଦ୍ ବିଜେପିର ପ୍ରଥମ ସରକାର ଆଉ ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକଙ୍କୁ ସ୍ଥାନ ମିଳୁଛି ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି। ମନ୍ତ୍ରୀ ରେସରେ ହେଭିୱେଟ ଭାବେ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ।

ସୂଚନାଯୋଗ୍ୟ, ଆସନ୍ତାକାଲି ସନ୍ଧ୍ୟା ୪ଟା ୪୫ରେ ଜନତା ମଇଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେବେ । ଏହା ସହିତ ୩୫ ହଜାର ଜନତା ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପୁରା ରାଜଧାନୀ ବର୍ତ୍ତମାନ ସୁରକ୍ଷା ବଳୟ ଭିତରେ ରହିଛି । ଡିଜି ଓ କମିଶନରେଟ ପୋଲିସ ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ