ଭୁବନେଶ୍ଵର: ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଙ୍ଗଳବାର ବିଧାୟକ ଦଳ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭୁବନେଶ୍ଵରରେ ବିଧାୟକ ଦଳ ବୈଠକ ପରେ ଏହାର ଘୋଷଣା କରିଛନ୍ତି। ମାଝୀ ୨୦୨୪ ନିର୍ବାଚନରେ କେନ୍ଦୁଝର ଆସନରୁ ନିର୍ବାଚନ ଜିତିଛନ୍ତି।
ମାଝୀ ରାଜ୍ୟ ବିଜେପିର ଟାଣୁଆ ନେତା ଭାବେ ପରିଚିତ। ବିଧାନସଭାରେ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ରହିଛି। ମାଝୀଙ୍କ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ସହ ଗଭୀର ସଂପର୍କ ରହିଛି। ସଂଗଠନରେ ତାଙ୍କ ବେଶ ଅଭିଜ୍ଞତା ରହିଛି। ସେ ଖଣିଜ ସଂପନ୍ନ କେନ୍ଦୁଝର ଜିଲ୍ଲାର ଜଣେ ମଜବୁତ ଏବଂ ବଡ଼ ଆଦିବାସୀ ନେତା। ସେ ଜଣେ ସରଳ ସ୍ଵଭାବର ମଣିଷ ରୂପେ ପରିଚିତ। ଲ’ରେ ସ୍ନାତକ କରିଥିବା ମାଝୀ ବିବାଦରୁ ଦୂରରେ ଥାଆନ୍ତି। ଚାରି ଥର ବିଧାୟକ ରହିଥିବା ମୋହନଙ୍କ ଆଦିବାସୀ ସମାଜରେ ବେଶ ଭଲ ସଂପର୍କ ଏବଂ ପତିଆରା ରହିଛି।
୨୦୨୩ରେ ମୋହନ ଚରଣ ମାଝୀ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ରହିଥିଲେ। ସେ ୭୦୦ କୋଟି ଟଙ୍କାର କଥିତ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଉଜାଗର କରିବା ପାଇଁ ବିଧାନସଭାରେ ଅଭିନବ ପ୍ରତିବାଦ କରିଥିଲେ। ସେହି ସମୟରେ ସେ ବିଧାନସଭାରେ ଆଞ୍ଜୁଳେ ଡାଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଫିଙ୍ଗିଥିଲେ। ତାଙ୍କର ଏମିତି ବ୍ୟବହାର କାରଣରୁ ବାଚସ୍ପତି ମୋହନ ଏବଂ ତାଙ୍କ ସାଥୀ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବିତ କରିଥିଲେ।
ଏହା ପରେ ମାଝୀ ଓ ମୁକେଶ ମହାଲିଙ୍ଗ ଡାଲି ଫିଙ୍ଗା ଘଟଣାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ସେମାନେ ଡାଲି ଫିଙ୍ଗି ନାହାନ୍ତି। ସେ ସଫେଇ ଦେଇଥିଲେ ଯେ, ଅଭିନବ ପ୍ରତିବାଦ ଜଣାଇବା ପାଇଁ ସେ ଡାଲିକୁ କେବଳ ବାଚସ୍ପତିଙ୍କ ଚୌକି ପାଖକୁ ଫିଙ୍ଗିଥିଲେ। ସୂଚନାଯୋଗ୍ୟ, ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସରପଞ୍ଚ ରହିଥିବା ମାଝୀ ଗ୍ରାମାଞ୍ଚଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୦୦ ନିର୍ବାଚନରେ ପ୍ରଥମ ଥର ବିଜେପି ଟିକେଟ୍ରେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ମାଝୀ ନବୀନ ପଟ୍ଟନାୟକଙ୍କଠୁ ଆସନ୍ତାକାଲି ପଦଭାର ସମ୍ଭାଳିବେ। ନବୀନ ଗତ ୨୪ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିଲେ। ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରୁ ବିଜେପି ୭୮ ସିଟ୍ ଜିତି ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ମୋହନ ମାଝୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।