Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଥମ ଥର ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଏମିତି ରହିଛି ପ୍ରଭାତୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମୋହନ ମାଝୀଙ୍କ ରୂପେ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ମୋହନ ହେଉଛନ୍ତି ରାଜ୍ୟ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତି ପରିଡା । ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଘୋଷଣା କରିଛନ୍ତି।

ସବୁଠାରୁ ବଡ଼ କଥା ୧୯୬୭ ମସିହାରେ ଜନ୍ମିତ ପ୍ରଭାତୀ ପରିଡ଼ା ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ପୂର୍ବରୁ କୌଣସି ମହିଳା ଉପମୁଖ୍ୟମନ୍ତ୍ରୀ ପଦରେ ରହି ନ ଥିଲେ। ପ୍ରଭାତୀ ପ୍ରଥମ ଥର ବିଧାୟିକାରୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ସାରିଛନ୍ତି ନନ୍ଦିନୀ ଶତପଥି । ଉପମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିର ଶୀର୍ଷ ନେତୃତ୍ୱ ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଭାତୀ। ମୋଦୀ ଗ୍ୟାରେଣ୍ଟିକୁ ନେଇ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିବୁ ପ୍ରଭାତୀ କହିଛନ୍ତି।

୨୦୨୪ ବିଧାନସଭା ନିର୍ବାଚନରେ ପୁରୀ ନିମାପଡ଼ା ଆସନରୁ ନିର୍ବାଚନ ଜିତିଛନ୍ତି ପ୍ରଭାତୀ ପରିଡ । ସେ ତାଙ୍କ ନିକଟ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପାଖାପାଖି ୪,୫୮୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ତେବେ ଏହା ପୂର୍ବରୁ ସେ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ତେବେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିଲେ । ଆଉ ୨୦୨୪ରେ ବିଜୟଲାଭ କରି ଓଡିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଓଡିଶା ବିଜେପିର ପ୍ରତିଟି ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସିଥିଲେ ।

ପ୍ରଭାତୀ ପରିଡ଼ା ୧୯୯୫ ମସିହାରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଏଲ୍ଏଲ୍‌ବି ପାସ୍ କରିଥିଲେ । ସେହି ବର୍ଷ ଓଡ଼ିଶା ହାଇକୋର୍ଟରେ ଆଡ୍‌ଭୋକେଟ୍ ଭାବେ ନିଯୁକ୍ତି ପାଇଥିଲେ। ୨୦୦୫ ମସିହାରେ ସେ ଉତ୍କଳ ବିଦ୍ୟାଳୟରେ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌ରେ ଏମ୍‌ଏ କରିଥିଲେ। ପ୍ରଭାତୀ ପରିଡ଼ାଙ୍କ ସ୍ୱାମୀ ହେଉଛନ୍ତି ଶ୍ୟାମ ସୁନ୍ଦର ନାୟକ । ଶ୍ୟାମ ସୁନ୍ଦର ଜଣେ ପୂର୍ବତନ ସରକାରୀ କର୍ମଚାରୀ ।

More Stories