Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଉଁ ମନ୍ତ୍ରୀଙ୍କୁ ମିଳିବ କେଉଁ ଦାୟିତ୍ୱ, ଆଜି ହୋଇପାରେ ବିଭାଗ ବଣ୍ଟନ

ଭୁବନେଶ୍ୱର: ଗତକାଲି ଶପଥ ସମାରୋହ ପରେ ରାଜ୍ୟରେ ଆରମ୍ଭ ହୋଇ ଯାଇଛି ବିଜେପି ସରକାରର ଶାସନ । ମୁଖ୍ୟମନ୍ତ୍ରୀ ପଦରେ ମୋହନ ମାଝ, ଉପମୁଖ୍ୟମନ୍ତ୍ରୀ ପଦରେ କେଭି ସିଂହ ଦେଉ ଏବଂ ପ୍ରଭାତୀ ପରିଡା ଶପଥ ନେଇ ସାରିଛନ୍ତି । ଏଥିସହ ୮ ଜଣ କ୍ୟାବିନେଟ୍ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି । ଗତକାଲି ପ୍ରଥମ କ୍ୟାବିନେଟ୍ ବୈଠକ ମଧ୍ୟ ବସି ସାରିଛି ଏବଂ ୪ ବଡ ନିଷ୍ପତ୍ତି ନିଆଯାଇଛି । ତେବେ ଏ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇ ନାହିଁ । ତେଣୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତା ଉପରେ ସଭିଙ୍କ ନଜର ରହିଛି । ତେଣୁ ଆଶା କରାଯାଉଛି ଆଜି ବିଭାଗ ବଣ୍ଟନ ହୋଇପାରେ ।

ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ (ବ୍ରଜରାଜନଗର), ରବି ନାରାୟଣ ନାୟକ (କୁଚିଣ୍ଡା), ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ), କୃଷ୍ଣ ଚନ୍ଦ୍ର ପାତ୍ର (ଢେଙ୍କାନାଳ), ପୃଥ୍ୱୀରାଜ ହରିଚନ୍ଦନ (ଚିଲିକା), ମୁକେଶ ମହାଲଙ୍ଗ (ଲୋଇସିଂହା),ବିଭୂତି ଜେନା (ଗୋପାଳପୁର), ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର (ମୋରଡ଼ା)ଙ୍କୁ ସ୍ଥାନ ମିଳିଛି ।

ସେହିପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଭାବେ ଗଣେଶ ରାମ ସିଂଖୁଣ୍ଟିଆ (ଯଶୀପୁର), ପ୍ରଦୀପ ବଳସାମନ୍ତ (ସୁକିନ୍ଦା), ସମ୍ପଦ ସ୍ୱାଇଁ (ପାରାଦୀପ), ସୂରଜ ସୂର୍ଯ୍ୟବଂଶୀ (ଧାମନଗର), ଗୋକୁଳା ନନ୍ଦ ମଲ୍ଲିକ (ପୋଲସରା) ଦାୟିତ୍ୱ ମିଳିଛି ।

ଏହିପରି ଭାବେ ରାଜ୍ୟର ୧୩ ଜିଲ୍ଲାକୁ ମିଳିଛି ମନ୍ତ୍ରୀ ପଦ । ବଲାଙ୍ଗିର, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଏବଂ ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଚଳିତ ବିଧାନସଭାର ବାଚସ୍ପତି ରଣପୁରର ବିଧାୟିକା ସୁରମା ପାଢ଼ୀ ହୋଇପାରନ୍ତି ବୋଲି ଶୁଣାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ