ମୋହନ ମାଝୀଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କଲା ବିଜେପି ? ଜାଣନ୍ତୁ ୬ ପଏଣ୍ଟରେ


ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ୨୪ ବର୍ଷର ବିଜେଡି ସରକାରର ଅବସାନ ପରେ ଓଡିଶାରେ ଆରମ୍ଭ ହୋଇ ଯାଇଛି ମୋହନ ସରକାର। ଗତକାଲି ମୋହନ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ୮ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ବିଜେପି ନିର୍ବାଚନ ଜିତିବା ପରେ କଳ୍ପନା ଜଳ୍ପନା ଚାଲିଥିଲା ଯେ, ନବୀନ ପଟ୍ଟନାୟକଙ୍କ ପରେ କିଏ ହେବ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, କେଭି ସିଂହ ଦେଓଙ୍କ ନାମ ବେଶରେ ଚର୍ଚ୍ଚାରେ ଥିଲା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜୁନ ୧୧ ତାରିଖରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନାଁରେ ମୋହନ ମାଝୀଙ୍କ ନାଁରେ ମୋହର ବାଜିଲା । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଯେ, ସମସ୍ତ ବରିଷ୍ଠ ନେତାଙ୍କୁ ବାଦ୍ ଦେଇ ବିଜେପି କାହିଁକି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇଲା । ଆଉ ଏହା ପଛରେ ରହିଛି ଛଅ ବଡ ଫ୍ୟାକ୍ଟର, ଯେଉଁଥିପାଇଁ ମୋହନ ମାଝୀଙ୍କୁ ଓଡିଶାର ଗୁରୁ ଦାୟିତ୍ୱ ଦେଇଛି କେନ୍ଦ୍ରୀୟ ବିଜେପି ।

ମଜବୁତ ଆଦିବାସୀ ଚେହେରା

ମୋହନ ଚରଣ ମାଝୀ ଓଡିଶା ବିଜେପିର ଜନେ ମଜବୁତ ଆଦିବାସୀ ଚେହେରା । ବିଜେପି ଏଠାରେ ଝାଡଖଣ୍ଡ ପରି ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ କରି ରିସ୍କ ଉଠାଇବାକୁ ଚାହୁଁ ନ ଥିଲା । ଝାଡଖଣ୍ଡରେ ବିଜେପି ଅଣ ଆଦିବାସୀ ଚେହେରା ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଏବଂ ପାର୍ଟି ପାଞ୍ଚ ବର୍ଷ ପରେ କ୍ଷମତାକୁ ଫେରି ପାରି ନ ଥିଲା । ଓଡିଶାର ମୋଟ୍ ଜନସଂଖ୍ୟା ସାଢେ ଚାରି କୋଟିରୁ ଅଧିକ ହେବ । ଏଥିରୁ ପାଖାପାଖି ଏକ କୋଟି ଜନସଂଖ୍ୟା ଆଦିବାସୀ ସଂପ୍ରଦାୟର ଯାହା ରାଜ୍ୟର ମୋଟ୍ ଜନସଂଖ୍ୟାର ୨୩ ପ୍ରତିଶତ ହେବ । ବିଜେପି ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ।

ସଂଘ ସହ ନିବିଡ ସଂପର୍କ

ଆଦିବାସୀ ବହୁଳ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇଥିବା ବିଜେପି ପାଖରେ ମୋହନଙ୍କ ବ୍ୟତୀତ ଅନେକ ବିକଳ୍ପ ଥିଲା । କିନ୍ତୁ ପାର୍ଟି ମୋହନ ମାଝୀଙ୍କୁ କାହିଁକି ଚୟନ କଲା । ଓଡିଶାରେ ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପଛରେ ଆଉ ଏକା କାରନ ତାଙ୍କର ସଂଘ ପରିବାର ସହ ନିବିଡ ସଂପର୍କ । ମୋହନ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହିତ କାମ କରି ଆସିଛନ୍ତି ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ସଂଘର କାର୍ଯ୍ୟକ୍ରମରେ ସକ୍ରିୟତାର ସହ ଜଡିତ ରହିଥିଲେ । ଚାରି ଥରର ବିଧାୟକ ମୋହନ ଚରଣ ମାଝୀ ଆଦିବାସୀ ଇଲାକାରେ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ବିଧାନସଭାରେ ମୁଖର ନେତାର ଛବି

ମୋହନ ଚରଣ ମାଝୀ ନବୀନ ପଟ୍ଟନାୟକ ସରକାରରେ ବିରୋଧୀ ଦଳରେ ରହି ବିଜେପିର ମୁଖର ଚେହେରା ଥିଲେ । ସେ ବିଧାନସଭାରେ ଶାଣିତ ସ୍ୱରରେ ପ୍ରସଙ୍ଗ ଉପସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କୁ ଘେରୁଥିଲେ । ଗୃହରେ ତାଙ୍କର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହି ଆସିଛି । ବିଧାନସଭାର ସଦସ୍ୟ ଭାବେ ସେ ଅନ୍ୟ ଅପେକ୍ଷା ଦାୟିତ୍ୱ ବେଶ ସୂଚାରୁ ରୂପେ ତୁଲାଇ ଆସିଛନ୍ତି ।

ଶାସନ ପ୍ରଣାଳୀ ବିଷୟରେ ରହିଛି ଜ୍ଞାନ

ମୋହନ ଚରଣ ମାଝୀ ରାଜନୀତିରେ ସରପଞ୍ଚ ପଦଠୁ ନେଇ ମନ୍ତ୍ରୀ ସ୍ତରୀୟ ପଦ ପର୍ଯ୍ୟନ୍ତ ଯାତ୍ରା କରି ସାରିଛନ୍ତି । ସେ ଚାରି ଥରର ବିଧାୟକ । ନବୀନ ସରକାରଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ବିଜେପି ମେଣ୍ଟ ସରକାରରେ ସେ ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଥିଲେ । ସେ ଶାସନ ପ୍ରଣାଳୀକୁ ବେଶ ନିକଟରୁ ଦେଖିଛନ୍ତି ଏବଂ ବୁଝିଛନ୍ତି । ଜଣେ ସରପଞ୍ଚଠୁ ନେଇ ବିଧାୟକ ପର୍ଯ୍ୟନ୍ତ ରହିଥିବା ସମସ୍ୟା ବିଷୟରେ ସେ ବେଶ ଅବଗତ ଅଛନ୍ତି। ଏହି ସବୁ କଥା ମୁଖ୍ୟମନ୍ତ୍ରୀ ଚୟନ କରାଯିବା ସମୟରେ ମୋହନ ମାଝୀଙ୍କ ସପକ୍ଷରେ ଯାଇଛି । ବିଧାନସଭାରେ ବିରୋଧୀ ଦଳ ସଚେତକ ଥିଲେ । ସେ ୨୦୦୦, ୨୦୦୪, ୨୦୧୯ ଏବଂ ୨୦୨୪ରେ କେନ୍ଦୁଝର ସଦରରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସଂଗଠନସ୍ତରର ନେତା ଭାବେ ପରିଚିତ

ମୋହନ ଚରଣ ମାଝୀଙ୍କ ଛବି ଜଣେ ସଂଗଠନ ନେତା ଭାବେ ରହି ଆସିଛି । ସେ ଓଡିଶା ବିଜେପି ସଂଗଠନର ଜଣେ ମଜବୁତ ଚେହେରା । ଓଡିଶା ପରି ରାଜ୍ୟରେ ଯେଉଁଠି ପାର୍ଟି ନିଜ ସଂଖ୍ୟା ବଳରେ ସରକାର ଗଠନ କରୁଛି, ସେଠି ଉତ୍ତମ ସମନ୍ୱୟ ରହିଛି । ମୋହନଙ୍କ ଛବି ରାଜ୍ୟ ବିଜେପିରେ ବେଶ ମେଳାପୀ ସ୍ୱଭାବରେ ରହିଛି । ନେତାଙ୍କଠୁ ନେଇ କର୍ମୀ ପର୍ଯ୍ୟନ୍ତ ସଭିଙ୍କ ସହ ତାଙ୍କର ଉତ୍ତମ ସଂପର୍କ ରହିଛି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାର୍ଟି ଭିତରେ ବଡ ନେତାଙ୍କ ମଧ୍ୟରେ ଥିବା ମତଭେଦକୁ କମ କରାଯାଇ ପାରିଛି । ଶାସନ ପ୍ରଣାଳୀ ବିଷୟରେ ଜ୍ଞାନ ଓ ସଂଗଠନାତ୍ମକ ଅଭିଜ୍ଞତା ଯୋଗୁଁ ତାଙ୍କୁ ପାର୍ଟି ହାଇକମାଣ୍ଡ ଓଡିଶାର ଦାୟିତ୍ୱ ଦେବାକୁ ଉଚିତ୍ ମଣିଛନ୍ତି ।

ଝାଡଖଣ୍ଡ ଫ୍ୟାକ୍ଟର

ଝାଡଖଣ୍ଡ ମଧ୍ୟ ଆଦିବାସୀ ବହୁଳ ରାଜ୍ୟ । ଏହି ରାଜ୍ୟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଓଡିଶାରେ ଆଦିବାସୀ ଚେହେରାର ମୁଖ୍ୟମନ୍ତ୍ରୀ କରାଯାଇ ଝାଡଖଣ୍ଡର ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପି ଲକ୍ଷ୍ୟ ରଖିଛି । ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଝାଡଖଣ୍ଡର ଭୋଟରଙ୍କୁ ଦୃଢ ସନ୍ଦେଶ ଦେବାକୁ ଚେଷ୍ଟା କରିଛି ବିଜେପି ।