Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୩ ଜାଲ୍ ସାର୍ଟିଫିକେଟ ପାଇଁ ୬୭ ସ୍ଥାନରେ ସିବିଆଇ ରେଡ୍‌, କେଳେଙ୍କାରୀ ପଛର ମାଷ୍ଟର୍‌ମାଇଣ୍ଡ୍ କିଏ ?

ଭୁବନେଶ୍ୱର: ସାରା ରାଜ୍ୟରେ ଗତକାଲି ସିବିଆଇ ପକ୍ଷରୁ ବଡ ଧରଣର ରେଡ୍ ହେଲା । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ସାର୍ଟିଫିକେଟ୍ ଅଭିଯୋଗ ନେଇ ସିବିଆଇ ରେଡ୍ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ଟି ସ୍ଥାନରେ ରେଡ୍ ହୋଇଛି । ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଥିଲେ । ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ଥିଲା । ଏଭଳି ଜାଲିଆତିରେ ଡାକ ବିଭାଗର କୌଣସି ଅଧିକାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ ଅଜଣା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତେବେ ଏହା ପଛର ମାଷ୍ଟର ମାଇଣ୍ଡ କିଏ ତାହା ଜଣା ପଡିନାହିଁ ।

ଜାଲ୍ ମାଟ୍ରିକ୍ ପ୍ରମାଣ ପତ୍ର ପ୍ରସ୍ତୁତ କରି ଆବେଦନକାରୀଙ୍କୁ ଯୋଗାଇଥିବା ଅଭିଯୋଗରେ କଳାହାଣ୍ଡି ନର୍ଲାସ୍ଥିତ ଶ୍ରୀୟା କମ୍ପ୍ୟୁଟର କେନ୍ଦ୍ରରେ ମଧ୍ୟ ଚଢ଼ଉ କରାଯାଇଛି। ଏହାବାଦ୍ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ବଳରେ ଆବେଦନ କରିଥିବା ଆଶାୟୀ, ଜାଲ୍ ସାର୍ଟିଫିକେଟ୍ ତିଆରି କରି ଯୋଗାଇଥିବା ସଂସ୍ଥା ଏବଂ ଡାକବିଭାଗର ଅଜଣା ଅଧିକାରୀଙ୍କ ବିରୋଧରେ ସିବିଆଇ ଆଇପିସି ଧାରା ଅନ୍ତର୍ଗତ ଆପରାଧିକ ଷଡ଼୍‌ଯନ୍ତ୍ର ୧୨୦ ବି, ଜାଲିଆତି ୪୨୦, ୪୬୮, ୪୭୧ ଦଫା ସହିତ ୫୧୧ ତଥା ଭ୍ରଷ୍ଟାଚାର ନିବାରଣ ଅଧିନିୟମ, ୧୯୮୮ ଧାରା ୭- ଏ ଅନ୍ତର୍ଗତରେ ୨୦୨୩ ମେ ୯ରେ ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ ୧୩୮୨ ଗ୍ରାମୀଣ ଡାକସେବକ ପଦବିରେ ନିଯୁକ୍ତି ପାଇଁ ୨୦୨୩ ଜାନୁଆରୀ ୨୭ରେ ଆଶାୟୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ମାଟ୍ରିକ୍ ଥିଲା। ମାଟ୍ରିକ୍ ପରୀକ୍ଷା ମାର୍କ ଆଧାରରେ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୩୮୨ ଜଣଙ୍କୁ ମାଟ୍ରିକ୍ ପରୀକ୍ଷା ମାର୍କ ଆଧାରରେ ଚୟନ କରାଯାଇଥିଲା ଏବଂ ସେମାନଙ୍କ ଡକ୍ୟୁମେଣ୍ଟ୍ ଭେରିଫିକେସନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାଟ୍ରିକ୍ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ବେଳେ ନକଲି ପ୍ରମାଣପତ୍ରର ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଥିଲା। ବାଲେଶ୍ବର, ମୟୂରଭଞ୍ଜ, କଳାହାଣ୍ଡି ଓ ବ୍ରହ୍ମପୁର ଆଦି ଅଞ୍ଚଳରୁ ମିଳିଥିବା ଆଶାୟୀଙ୍କର ବହୁ ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟାରେ ନଜରକୁ ଆସିଥିଲା।

ଏହିସବୁ ପ୍ରମାଣପତ୍ର ଉତ୍ତରପ୍ରଦେଶର ଆହ୍ଲାବାଦ, ପଶ୍ଚିମବଙ୍ଗର କୋଲକାତା, ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ଏକାଡେମିକ୍ ପରିଷଦ ଭଳି ବାହାର ରାଜ୍ୟର ବୋର୍ଡରୁ ମିଳିଥିଲା। ତେଣୁ ଆହୁରି ସନ୍ଦେହ ବଢିଥିଲା । ଏହି ୬୩ ଜାଲ୍ ସାର୍ଟିଫିକେଟ୍ ବାବଦରେ ଖୋଳତାଡ଼ କରିବା ପରେ ସେସବୁ ନକଲି ବୋଲି ଜଣାପଡ଼ିଥିଲା। ତେଣୁ ଏନେଇ ସିବିଆଇରେ ମାମଲା ରୁଜୁ କରାଯାଇଥିଲା। ଗତକାଲିର ଚଢ଼ଉରେ ସିବିଆଇକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଓ କଳାହାଣ୍ଡିରୁ ନକଲି ସାର୍ଟିଫିକେଟ୍ ପ୍ରସ୍ତୁତିର ସୁରାକ ମିଳିଥିବା କୁହାଯାଉଛି। ତେଣୁ ଖୁବ୍‌ଶୀଘ୍ର ଏଭଳି ରାକେଟର ମୂଳକୁ ବାହାର କରାଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି। ଏହି କେଳେଙ୍କାରୀ ପଛର ମାଷ୍ଟର୍‌ମାଇଣ୍ଡ୍ କିଏ, ଏଥିପାଇଁ କେତେଟଙ୍କା କାରବାର ହୋଇଛି, ସେସବୁର ପର୍ଦ୍ଦାଫାସ୍ ହେବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ