ଚାନ୍ଦା ନଦେବାରୁ ଠିକାଦାରଙ୍କ ପରିବାରକୁ ଆକ୍ରମଣ !


ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ଜଣେ ଠିକାଦାରଙ୍କ ପରିବାକରୁ ସଙ୍ଘବଦ୍ଧ ଆକ୍ରମଣ । ଘଟଣାରେ ଠିକାଦାରଙ୍କ ପରିବାରର ୩ ଜଣ ଗୁରୁତର । ଘଟଣା ଆଳି ଥାନା ଭୁଇଁପୁର ଛକରେ ଘଟିଛି । ଠିକାଦାରଙ୍କ ଭାଇ ଓ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ୩ ଜଣଙ୍କୁ ପ୍ରଥମେ ଆଳି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ମଧୁବନ ଗ୍ରାମର ଠିକାଦାର ସୁକାନ୍ତ ରାଉତଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭାଇ ପ୍ରଶାନ୍ତ ରାଉତ ୟୁକୋ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଭୂଇଁପୁର ଛକରେ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ନିଆଳ ଗ୍ରାମର ସନ୍ତୋଷ ପଢିହାରୀଙ୍କ ସମେତ ୬ ଜଣ ଯୁବକ ତାଙ୍କ ଭାଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଚାନ୍ଦା କାହିଁକି ଦେଉନ ବୋଲି ଧମକ ଦେବା ସହ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପ୍ରଶାନ୍ତ ପ୍ରତିବାଦ କରିବାରୁ ତାଙ୍କ ଉପରେ ସେମାନେ ମିଳିତ ଅତର୍କିତ ଆକ୍ରମଣ କରିଥିଲେ ।

ଖବର ପାଇ ପ୍ରଶାନ୍ତ ରାଉତଙ୍କ ଦୁଇ ପୁତୁରା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତମାନେ ସେମାନଙ୍କୁ ବି ଆକ୍ରମଣ କରିଥିଲେ । ଯେଉଁଥିରେ ସେମାନେ ବି ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ସନ୍ତୋଷ ପଢିହାରୀ ପାଲଟା ଅଭିଯୋଗ ଆଣି କହିଛନ୍ତି ଠିକାଦାରଙ୍କ ଭାଇ ଓ ତାଙ୍କ ସହଯୋଗୀ ଭୁଇଁପୁର ଛକରେ ଗାଳିଗୁଲଜ କରୁଥିଲେ । ଆମେ ପ୍ରତିବାଦ କରିବାରୁ ସେମାନେ କିଛି ପିଲାଙ୍କୁ ଡାକି ମୋ ଉପରେ ଆକ୍ରମଣ କରିଥିଲେ ।