ଭୁବନେଶ୍ୱର: ରଜ ସରିବାକୁ ବସିଲାଣି । କିନ୍ତୁ ସାରା ରାଜ୍ୟକୁ ପହଞ୍ଚି ପାରିଲାନି ମୌସୁମୀ । ସପ୍ତାହେରୁ ଅଧିକ ତଳେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ଓଡିଶା ଛୁଇଁଥିଲା ମୌସୁମୀ । କିନ୍ତୁ ଏ ଯାଏ ମୌସୁମୀ ବାୟୁର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ପାଗ ଅନୁକୂଳ ହେଉ ନ ଥିବାରୁ ମୌସୁମୀ ବାୟୁ ଆଗକୁ ବଢି ପାରୁନି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନର କୌଣସି ସମ୍ଭାବନା ମଧ୍ୟ ନାହିଁ । ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖ ଆଡକୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ଏହାର ପ୍ରଭାବ କେତେ ରହିବ ତାହା କହି ହେବନି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ୟାଜପୁର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷର ସୂଚନା ଅନୁଯାୟୀ, ଆଜି ବୌଦ୍ଧ, ବାରିପଦା, ସୋନପୁର ଓ ନୂଆପଡ଼ା ଆଦି ଅଞ୍ଚଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ବରଗଡ଼, ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ଼, ନୟାଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ କେନ୍ଦୁଝରଗଡ଼ ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିପାରେ।