ଝାରସୁଗୁଡା ୧୭/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସୀମାନ୍ତ ଅଞ୍ଚଳ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ମଦଭାଟିରେ ଗତ ଦୁଇଦିନ ତଳେ ହୋଇଥିବା ଡକାୟତି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କଣ୍ଡେଇକେଲା ମଦଭାଟି କର୍ମଚାରୀ ବଦ୍ରିନାରାୟଣ ସାହୁଙ୍କ ଲିଖିତ ଅଭିଯୋଗ ଅନୁସାରେ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଜାରି ରଖିଛି ।
ସୂଚନା ଥାଉକି ସୀମାନ୍ତ ବର୍ତ୍ତୀ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ମଦଭାଟିରେ ଗତ ଶନିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଆସି କର୍ମଚାରୀ ମାନଙ୍କୁ ବାଡ଼ି ରେ ଆକ୍ରମଣ କରି ପ୍ରାୟ ୧ ଲକ୍ଷ ଟଙ୍କାଲୁଟି ନେବା ସହ ସିସି କ୍ୟାମେରା ର ହାର୍ଡଡିକ୍ସ କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ଫଳରେ ତିନିଜଣ କର୍ମଚାରୀ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି । ଦେଖିବାକୁ ବାକି ରହିଲା ଯେ ଦୁର୍ବୁତ୍ତ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ପୁଲିସ କେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।