Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲି ଆସିବା କାଳ ହେଲାକୋଇଲିଘୋଘର ଜଳପ୍ରପାତରେ ବୁଡ଼ିଗଲେ ଯୁବ ଇଞ୍ଜିନିୟର

ଝାରସୁଗୁଡା ୧୭/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ କୋଇଲି ଘୋଘର ଜଳ ପ୍ରପାତ ପାଣି ଭିତରୁ ରବିବାର ଦିନ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ପୁଲିସ ଦ୍ବାରା ଉଦ୍ଧାର କରା ଯାଇଛି । ମୃତ ଯୁବ ଇଞ୍ଜିନିୟର ଜଣକ ହେଉଛନ୍ତି ଭୁବନେଶ୍ୱର ବାଣୀବିହାର ଅଞ୍ଚଳର ବ୍ରଜେଶ୍ୱର ବେହେରା (୨୮) ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ।
ପୁଲିସର ସୂଚନା ମତେ କୋଇଲି ଘୋଘର ପର୍ଯ୍ୟଟନ ସ୍ଥଳୀକୁ ସୁଦୂର ସମ୍ବଲପୁରର ଅଫସୋର ନାମକ ଏକ ଠିକାସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଭୁବନେଶ୍ୱର ବାଣୀବିହାର ଅଞ୍ଚଳର ବ୍ରଜେଶ୍ୱର ବେହେରା (୨୮), ବିହାର ଗୋପାଳଗଞ୍ଜ ଜିଲ୍ଲା କୁଚେଇକୋଟା ଥାନା ସିରାଜପୁର ଗ୍ରାମର ବିବେକ କୁମାର (୨୭),ଆସାମ ଦିବୁରୁଗଡ ଥାନା ଅଞ୍ଚଳର ମନୋଜ ପାଉଲ (୨୫),ବିହାର ଗୋପାଳଗଞ୍ଜ ଜିଲ୍ଲା ବିସମ୍ବରପୁର ଥାନା ଅଞ୍ଚଳର ବିପିନ ପାଣ୍ଡେ (୪୦) ଓ କାର ଡ୍ରାଇଭର ଗୋପାଳ କୃଷ୍ଣ ସାହୁ କୁ ମିଶାଇ ଏମାନେ ୫ ଜଣ ଯାକ ଓଡି ୧୫ କ୍ୟୁ ୩୨୦୩ ନମ୍ବର ବିଶିଷ୍ଟ ଏକ କାର ଯୋଗେ କୋଇଲି ଘୋଘରକୁ ଆସି ଚାରିଆଡ଼େ ବୁଲାବୁଲି କରି ସାରିବା ପରେ ସକାଳ ପ୍ରାୟ ୧୦ ଟା ସମୟରେ ସେମାନେ ଗାଧୋଇବା ପାଇଁ ଜଳପ୍ରପାତକୁ ଯାଇଥିଲେ । ପ୍ରଥମେ ଦୁଇଜଣ ସାଙ୍ଗ ଜଳପ୍ରପାତର ପାଣି ଭିତରକୁ ଡେଇଁ ଗାଧୋଉଥିବା ବେଳେ ବ୍ରଜେଶ୍ୱର ମଧ୍ୟ ଜଳପ୍ରପାତ ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । କିନ୍ତୁ ପାଣି ଭିତରୁ ଆଉ ସେ ଉପରକୁ ବାହାରି ପାରିନଥିଲେ । ଏହା ଦେଖି ତାଙ୍କ ଅନ୍ୟ ସାଙ୍ଗ ମାନେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ରେଙ୍ଗାଲି ଥାନାକୁ ଜଣାଇବା ପରେ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଲଖନପୁର ଅଗ୍ନିଶମ ବିଭାଗକୁ ସୂଚନା ଦେବା କ୍ଷଣି ସେ ପୁଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଅଗ୍ନିଶମ ବାହିନୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଦିବା ପ୍ରାୟ ସାଢ଼େ ଦୁଇଟା ସମୟରେ ନିଖୋଜ ଯୁବ ଇଞ୍ଜିନିୟର ବ୍ରଜେଶ୍ୱର ଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ଏଥିରେ କୋଇଲି ଘୋଘର ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତୁଷାରାମ ପଧାନ, ଦିଲ୍ଲୀପ ପଧାନ,ସ୍ୱାଧୀନ ପଧାନ, ଆକାଶ ନାମଦେଓ,ଆଲୋକ ବରିହା, ଅନୀଲ ସିଦାର ପ୍ରମୁଖଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଶବକୁ ଜବତ କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡାକୁ ପଠା ଯାଇଥିଲା । ମୃତ ବ୍ରଜେଶ୍ୱରଙ୍କ ପରିବାର ଲୋକ ଓ ସେ ଯେଉଁ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀର ମୂଖ୍ୟଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରା ଯାଇଛି । ସେମାନେ ଝାରସୁଗୁଡା ଆସିବା ପରେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ଉକ୍ତ କାର ଡ୍ରାଇଭର ଗୋପାଳଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ