ଭିନ୍ନକ୍ଷମ ଯୀଶୁ ମହାନନ୍ଦଙ୍କୁ ଦୀର୍ଘ ୫ ମାସ ହେବ ମିଳୁନି ଭତ୍ତା


ଝାରସୁଗୁଡା ୧୮/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଗାଁ ଗ୍ରାମର ନନ୍ଦଲାଲ ମହାନନ୍ଦଙ୍କ ୨୭ ବର୍ଷୀୟ ଭିନ୍ନକ୍ଷମ ପୁଅ ଯୀଶୁ ମହାନନ୍ଦ ଦୀର୍ଘ ୫ ମାସ ହେବ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ଥିବା ତାଙ୍କ ବାପା ନନ୍ଦଲାଲ ଅଭିଯୋଗ କରୁଛନ୍ତି । ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅନେକ ଥର ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ ସେମାନେ କୌଣସି ଗୁରୁତ୍ୱ ଦେଉ ନ ଥିବା ନନ୍ଦଲାଲ ପ୍ରକାଶ କରିଛନ୍ତି ।
ବାପା ନନ୍ଦଲାଲଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା (ଆଇଜିଏନଡିପିଏସ) ଯୋଜନାରୁ ତାଙ୍କ ଭିନ୍ନକ୍ଷମ ପୁଅ ଯୀଶୁ ମହାନନ୍ଦ ୨୦୧୯ ଅଗଷ୍ଟ ୧୫ ତାରିଖ ଠାରୁ ଭିନ୍ନକ୍ଷମ ଭତ୍ତା ନିୟମିତ ଭାବେ ପାଇ ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା କୁ ପରିବର୍ତ୍ତନ କରି ଜିଲ୍ଲା ଖଣିଜ ପାଣ୍ଠିରୁ ଚଳିତ ୨୦୨୪ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ୭୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରା ଯାଉଥିଲା । କିନ୍ତୁ ଗତ ୨୦୨୪ ଫେବୃଆରୀ ମାସରୁ ତାଙ୍କ ଭିନ୍ନକ୍ଷମ ପୁଅ ଯୀଶୁଙ୍କୁ ଆଉ ଭିନ୍ନକ୍ଷମ ଭତ୍ତା ଦିଆ ଯାଉ ନଥିବା ତାଙ୍କ ବାପା ନନ୍ଦଲାଲ ଅଭିଯୋଗ କରୁଛନ୍ତି । ଯଦି ସରକାରୀ ସ୍ତରରେ କୌଣସି ପ୍ରକାର ସମସ୍ୟା ରହିଛି ତାହେଲେ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ କରି ତାଙ୍କ ଭିନ୍ନକ୍ଷମ ପୁଅ ଯୀଶୁଙ୍କୁ ନିୟମିତ ଭାବେ ଭତ୍ତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏ ସମ୍ପର୍କରେ ବିଏସଏସଓ ଶାନ୍ତି ରଞ୍ଜନ ଦାଶ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଏ ସମ୍ବନ୍ଧରେ ଉଚିତ ତଦନ୍ତ କରି ଯଥାଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର କହିଛନ୍ତି ।