ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ପ୍ରକ୍ରିୟା । ଆଶା ଅନୁ୍ଯାୟୀ ବିଜେପି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ସୁରମାଙ୍କ ନାଁ ଘୋଷଣା କରିଛି ବିଜେପି । ଏହା ପରେ ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅନେକ ବିଜେପି ବିଧାୟକ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଆଜି ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସୁରମା ପାଢୀଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ନେଇ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବିଜେପି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ପରେ ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଳ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ପଦରେ ନିର୍ବାଚନ ହେବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରନ୍ତି ତେବେ ସୁରମା ପାଢୀ ନିଦ୍ୱନ୍ଦ୍ୱର୍ରେ ବାଚସ୍ପତି ଭାବେ ନିର୍ବାଚିତ ହେବେ । କାରଣ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିଛି ଏବଂ ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ରହିଛି ।
ସୂଚନାଯୋଗ୍ୟ, ଶପଥ ଗ୍ରହଣ ସମାରୋହ ପରଠୁ ସୁରମା ପାଢୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିଲା । ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ବିଜେପି ଏହି ସାମ୍ବିଧାନିକ ପଦରେ ବସାଇବା ନେଇ କୁହାଯାଉଥିଲା । ଉଲ୍ଲେଖନୀୟ ସୁରମା ପାଢୀ ବିଜେପି ଓ ବିଜେଡି ମେଣ୍ଟସରକାରରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସମବାୟ ମନ୍ତ୍ରୀ ଥିଲେ । ଏହି ସମୟରେ ସେ ରଣପୁରର ବିଧାୟିକା ଥିଲେ । ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନ ଲଢିଥିଲେ ହେଁ ୨୦୨୪ରେ ସେ ବିଜୟଲାଭ କରିଛନ୍ତି । ଗୃହର ପରିଚାଳନା ନେଇ ମଧ୍ୟ ତାଙ୍କର ବେଶ ଅଭିଜ୍ଞତା ରହିଛି ।