ଭୁବନେଶ୍ୱର: ଗତକାଲି ରାଜଧାନୀର ମୁକୁଳା ଡ୍ରେନ ଆଉ ଜଣଙ୍କ ଜୀବନ ନେଇଛି । ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍ଣରେ ମୁକୁଳା ଡ୍ରେନରେ ଭାସିଯାଇ ୮ ବର୍ଷ ବୟସର ନାବାଳକର ମୃତ୍ୟୁ ଘଟିଛି । ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ସେ ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ଏହାଛଡ଼ା ରାଜ୍ୟ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ମୋତେ ବ୍ୟଥିତ କରିଛି। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣ ୧ଟାରେ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ମୁକୁଳା ଡ୍ରେନ ନିଟକରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍ରେ ଏକ ବେଲୁନ ଭାସୁଥିଲା। ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା। କିନ୍ତୁ ସେ ଡ୍ରେନ୍ରେ ଖସି ଭାସି ଯାଇଥିଲା । ବର୍ଷା ଯୋଗୁଁ ଡ୍ରେନ୍ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା। ଅନ୍ୟ ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶେଷରେ ନାବାଳକକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁଧ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।