ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥର ଥିଲା ବିଜେପିର ଅନ୍ୟତମ ନିର୍ବାଚନୀ ପ୍ରସଙ୍ଗ । ପରିକ୍ରମା ପ୍ରକଳ୍ପ ହେଉ କି ରତ୍ନଭଣ୍ଡାର ଖୋଲିବା ଅଥବା ରତ୍ନଭଣ୍ଡାର ଚାବିକୁ ବିଜେପି ପ୍ରସଙ୍ଗ କରି ବିଜେଡି ସରକାରକୁ କାଠଗଡ଼ାରେ ଛିଡା କରିଥିଲା । ଯାହାର ରେଜଲ୍ଟ ମଧ୍ୟ ନିର୍ବାଚନରେ ବିଜେପିକୁ ମିଳିଛି । ଆଉ ସମସ୍ତଙ୍କର ଏବେ ଗୋଟିଏ ଆଶା, ବିଜେପି ସରକାର ଆସିଛି । ନିର୍ବାଚନ ସମୟରେ ବିଜେପି ରତ୍ନଭଣ୍ଡାର ଖୋଲିବାକୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ । ଆଜି ସକାଳେ ମଧ୍ୟ ରତ୍ନଭଣ୍ଡାରକୁ ନେଇ ଏକ ଭଲ ଖବର ଆସିଥିଲା । ଏଏସଆିର ଜଣେ ଅଧିକାରୀ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଥିଲେ । ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ସନ୍ଧ୍ୟାରେ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଗୋଳିଆ କରିଦେଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।
ରତ୍ନଭଣ୍ଡାର ୮ ତାରିଖରେ ଖୋଲିବାକୁ ଯାଉଥିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି । ଏ ସଂପର୍କରେ ଛତିଶା ନିଯୋଗ ବୈଠକରେ କିଛି ବି ନିଷ୍ପତ୍ତି ହୋଇନି । ଜଣେ ASI ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କେବଳ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ।
ଅଧିକାରୀ ଜଣଙ୍କ ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ସଂପୃକ୍ତ ASI ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କେବେ ରତ୍ନଭଣ୍ଡାର ଖୋଲାଯିବ, ତା’ଉପରେ ପ୍ରଥମେ ତର୍ଜମା କରାଯିବ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ସୁଦ୍ଧା ରତ୍ନଭଣ୍ତାର ଖୋଲିବା ନେଇ କୌଣସି ପ୍ରକାରର ନିଷ୍ପତ୍ତି ହୋଇନାହିଁ । ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଆଗାମୀ ରଥଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ASI ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡି.ବି. ଗଡ଼ନାୟକ ସୂଚନା ଦେଇଥିଲେ । ସେ କହିଥିଲେ ଯେ କୋର୍ କମିଟି ଓ ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ।
ଯେହେତୁ ଗତ ନଭେମ୍ବରରେ ଲେଜର ସ୍କାନିଂ ରିପୋର୍ଟରେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥରେ ଫାଟ ଥିବା ଜଣାପଡିଥିଲା । ତେଣୁ ଭଣ୍ଡାର ଘର ଭିତରେ ପାଣି ପଶୁଥିବା ଆଶଙ୍କା ସୃଷ୍ଟି ହୋଇଛି । ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ତା’ର ମରାମତି କରାଯିବ । ଏଏସଆଇ ସୁପରିଟେଣ୍ଟଣ୍ଟଙ୍କ ଏ ସୂଚନା ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯାଇ ପାରିବ ବୋଲି ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା । ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଥିଲେ, ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ପୂର୍ବ ସରକାର ଅମଳରେ ନିଷ୍ପତ୍ତି ହୋଇଥିଲା ।
ଏମିତିକି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ମଧ୍ୟ ଗଠନ ହୋଇସାରିଛି । ଉକ୍ତ କମିଟିର ଖୁବଶୀଘ୍ର ଆଉ ଥରେ ବୈଠକ ବସିବ, ସେଠୁ ଯାହା ପରାମର୍ଶ ଆସିବ ସେ ଅନୁଯାୟୀ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହାକୁ ନେଇ ବିଭିନ୍ନ ପ୍ରକାରର ଆକଳନ ଓ ଚର୍ଚ୍ଚା ଚାଲିଥିବା ବେଳେ ଆଇନମନ୍ତ୍ରୀ ହରିଚନ୍ଦନଙ୍କ ବୟାନ ସବୁ କିଛି ଓଲପାଲଟ କରିଦେଇଛି । ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।